Site icon ଆଜିକାଲି

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରୋହିତ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ସୁପର ଓଭର ବିଜୟ ସହ ଭାରତୀୟ ଅଧିନାୟକ ରୋହିତ ଶର୍ମା ପୂର୍ବତନ କ୍ୟାପଟେନ୍ ଏମଏସ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ସର୍ବାଧିକ ବିଜୟ ସହ ରୋହିତ ଏହି ଫର୍ମାଟରେ ଭାରତର ସବୁଠୁ ସଫଳ ଅଧିନାୟକ ହୋଇଛନ୍ତି।

ଆଫଗାନିସ୍ତାନ ବିପକ୍ଷ ସିରିଜ ସହ ୧୪ ମାସ ପରେ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟକୁ ଫେରିଥିବା ରୋହିତ ଏପର୍ଯ୍ୟନ୍ତ ମୋଟ ୫୪ ଟି-୨୦ ମ୍ୟାଚରେ ଭାରତର ନେତୃତ୍ଵ ନେଇଛନ୍ତି। ଏଥିମଧ୍ୟରୁ ସେ ୪୨ଟି ମ୍ୟାଚ୍ ଜିତିଛନ୍ତି। ଏଥିସହ ସେ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଧୋନି ୭୨ ଟି-୨୦ରେ ଅଧିନାୟକତ୍ବ କରିଥିବା ବେଳେ ୪୧ଟି ମ୍ୟାଚ୍ ଜିତିଥିଲେ ।

ପ୍ରଥମ ଦୁଇଟି ଟି-୨୦ରେ ଖାତା ଖୋଲି ପାରିନଥିବା ରୋହିତ ତୃତୀୟ ଟି-୨୦ ରେ ଚମତ୍କାର ଶତକ ସହ ଭାରତକୁ ଟପ୍ ଅର୍ଡର ବିପର୍ଯ୍ୟୟରୁ ଉଦ୍ଧାର କରିଥିଲେ । ରୋହିତ ୬୯ ବଲରେ ୧୨୧ ରନ୍ କରିଥିଲେ । ତାଙ୍କର ଏହି ଇନିଂସରେ ୧୧ ଚୌକା ଓ ୮ଟି ଛକା ସାମିଲ ଥିଲା | ଅନ୍ତର୍ଜାତୀୟ ଟି-୨୦ରେ ରୋହିତଙ୍କ ଏହା ପଞ୍ଚମ ଶତକ ଥିଲା। ଏଥିସହ ସେ ସର୍ବାଧିକ ଟି-୨୦ ଶତକ ତାଲିକାରେ ସୂର୍ଯ୍ୟକୁମାର ଯାଦବ ଓ ଗ୍ଲେନ୍ ମ୍ୟାକ୍ସଓ୍ବେଲଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ଏହା ମଧ୍ୟ ଟି-୨୦ରେ ରୋହିତଙ୍କ ସର୍ବୋଚ୍ଚ ସ୍କୋର ।

Exit mobile version