Site icon ଆଜିକାଲି

ନ୍ୟୁଜିଲାଣ୍ଡ ଗସ୍ତରୁ ରୋହିତ, କୋହଲିଙ୍କୁ ବିଶ୍ରାମ; ଟି-୨୦ରେ ପାଣ୍ଡ୍ୟା, ଦିନିକିଆରେ ଧାଓ୍ବନ ନେବେ ନେତୃତ୍ବ

ନୂଆଦିଲ୍ଲୀ: ଆଗାମୀ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଭାରତର ନେତୃତ୍ଵ ନେବେ । ଶିଖର ଧାୱନ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ବ ତୁଲାଇବେ । ଏହି ଗସ୍ତ ପାଇଁ ରିଷଭ ପନ୍ତଙ୍କୁ ଉଭୟ ଟି-୨୦ ଓ ଦିନିକିଆ ଦଳର ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସମ୍ପ୍ରତି ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପର ପାଞ୍ଚ ଦିନ ପରେ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଗସ୍ତରୁ କ୍ୟାପଟେନ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି। ବିରାଟ କୋହଲି ଏବଂ କେ.ଏଲ୍ ରାହୁଲଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡର ପୁରା ଗସ୍ତରୁ ବିଶ୍ରାମ ଦିଆଯାଇଛି।

ରୋହିତ, କୋହଲି ଓ ରାହୁଲ କିନ୍ତୁ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ଟେଷ୍ଟ ଓ ଦିନିକିଆ ସିରିଜ୍ ପାଇଁ ଉପଲବ୍ଧ ହେବେ । ଆଣ୍ଠୁ ଆଘାତ ଯୋଗୁଁ ଟି-୨୦ ବିଶ୍ୱକପରୁ ବାଦ୍ ପଡ଼ିଥିବା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଟେଷ୍ଟ ଦଳକୁ ଫେରିଛନ୍ତି । ତେବେ ଷ୍ଟାର୍ ଦ୍ରୁତ ବୋଲର ଯଶପ୍ରୀତ ବୁମରା ପିଠି ଆଘାତରୁ ମୁକୁଳି ନଥିବାରୁ ବାଂଲାଦେଶ ଗସ୍ତରୁ ବଞ୍ଚିତ ହେବେ।

ହାର୍ଦ୍ଦିକ ଦ୍ବିତୀୟ ଥର ପାଇଁ ଭାରତୀୟ ଦଳର ନେତୃତ୍ଵ ନେବେ । ଏହା ପୂର୍ବରୁ ସେ ଚଳିତ ବର୍ଷ ଆରମ୍ଭରେ ଆୟର୍ଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ । ନ୍ୟୁଜିଲାଣ୍ଡ ଗସ୍ତରୁ ଦିନେଶ କାର୍ତ୍ତିକ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ବାଦ୍ ଦିଆଯାଇଛି।

ନଭେମ୍ବର ୧୮ ରୁ ଆରମ୍ଭ ହେଉଥିବା ନ୍ୟୁଜିଲାଣ୍ଡ ଗସ୍ତରେ ଭାରତ ତିନୋଟି ଟି-ଟ୍ୱେଣ୍ଟି ଏବଂ ତିନୋଟି ଦିନିକିଆ ଖେଳିବ | ତିନୋଟି ଟି-ଟ୍ୱେଣ୍ଟି ଓ୍ବେଲିଂଟନ (ନଭେମ୍ବର ୧୮), ମାଉଣ୍ଟ ମାଉଙ୍ଗାନୁଇ (ନଭେମ୍ବର ୨୦) ଓ ନାପିଏର ( ନଭେମ୍ବର ୨୨)ରେ ଖେଳାଯିବ । ଦିନିକିଆ ମ୍ୟାଚ୍ ଅକଲାଣ୍ଡ (ନଭେମ୍ବର ୨୫), ହାମିଲଟନ୍ (ନଭେମ୍ବର ୨୭) ଏବଂ ଖ୍ରାଏଷ୍ଟଚର୍ଚ୍ଚ (ନଭେମ୍ବର ୩୦)ରେ ଅନୁଷ୍ଠିତ ହେବ |

ଭାରତ ଶେଷ ଥର ପାଇଁ ୨୦୨୦ରେ ନ୍ୟୁଜିଲାଣ୍ଡ ଗସ୍ତ କରିଥିଲା । ସେହି ଗସ୍ତରେ ଭାରତ ଟି-୨୦ ସିରିଜକୁ ୫-୦ରେ ଜିତିଥିବା ବେଳେ ଦିନିକିଆ ସିରିଜର ୦-୩ ଓ ଟେଷ୍ଟ ସିରିଜ୍ ୦-୨ ରେ ହାରିଯାଇଥିଲା ।

ଭାରତୀୟ ଟି-୨୦ ଦଳ: ହାର୍ଦ୍ଦିକ ପାଣ୍ଡ୍ୟା (କ୍ୟାପଟେନ), ରିଷଭ ପନ୍ତ (ଉପଅଧିନାୟକ/ ଓ୍ବିକେଟ୍ କିପର), ଶୁଭମାନ ଗିଲ, ଇଶାନ କିଶନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟାସ ଆୟର, ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ସିଂ, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଭୁବନେଶ୍ୱର କୁମାର, ଉମ୍ରାନ ମଲିକ |

ଭାରତୀୟ ଦିନିକିଆ ଦଳ: ଶିଖର ଧାୱନ (କ୍ୟାପଟେନ), ରିଷଭ ପନ୍ତ (ଉପଅଧିନାୟକ/ ଓ୍ବିକେଟ୍ କିପର), ଶୁଭମାନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ (ଓ୍ବିକେଟ୍ କିପର), ଓ୍ବାଶିଂଟନ ସୁନ୍ଦର, ଶାର୍ଦ୍ଦୁଲ ଠାକୁର, ଶାହବାଜ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚହର, କୁଲଦୀପ ସେନ, ଉମ୍ରାନ ମଲିକ |

Exit mobile version