Site icon ଆଜିକାଲି

ବର୍ଷର ଶ୍ରେଷ୍ଠ ଆଇସିସି ଦିନିକିଆ ଦଳର ଅଧିନାୟକ ହେଲେ ରୋହିତ, ଭାରତୀୟ ଖେଳାଳିଙ୍କ ଦବଦବା

ଦୁବାଇ: ଆଇସିସି ମଙ୍ଗଳବାର ବର୍ଷର ଶ୍ରେଷ୍ଠ ଦିନିକିଆ ଦଳ ଘୋଷଣା କରିଛି । ରୋହିତ ଶର୍ମାଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି । ଏହାଛଡ଼ା ଆଇସିସିର ଦିନିକିଆ ଦଳରେ ଷ୍ଟାର ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି, ପେସ୍ ଯୋଡ଼ି ସାମି ଓ ସିରାଜଙ୍କ ସହ ଭାରତର ସର୍ବାଧିକ ୫ ଜଣ ଖେଳାଳି ସ୍ଥାନ ପାଇଛନ୍ତି।

ଆଇସିସି ଜାରି କରିଥିବା ବିବୃତ୍ତି ଅନୁଯାୟୀ, ଏହି ଦଳରେ ସାମିଲ ଅଧିକାଂଶ ଖେଳାଳି ଭାରତ (ରନର୍ସ ଅପ୍) ଏବଂ ଅଷ୍ଟ୍ରେଲିଆ (ବିଜେତା) ବ୍ୟତୀତ ବିଶ୍ବକପ୍ ସେମିଫାଇନାଲିଷ୍ଟ ନ୍ୟୁଜିଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକାର । ଏହି‌ ଦଳରେ ରୋହିତ ଓ ଶୁଭମାନ ଗିଲଙ୍କୁ ଇନିଂସ ଓପନ୍ କରିବାକୁ ସୁଯୋଗ ଦିଆଯାଇଛି। ଭାରତୀୟ ଅଧିନାୟକ ଗତ ବର୍ଷ ଦିନିକିଆ ଫର୍ମାଟରେ ହାରାହାରି ୫୨ ଆଭରେଜରେ ୧୨୫୫ ରନ୍ ସଂଗ୍ରହ କରିଥିଲେ। ଗିଲ୍ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୨୦୮ ରନର ଏକ ଇନିଂସ ସହ ଏହି ଫର୍ମାଟରେ ୧୫୮୪ ରନ୍ କରିଥିଲେ ।

ଭାରତ ବିପକ୍ଷ ବିଶ୍ୱକପ୍ ଫାଇନାଲରେ ୧୩୭ ରନ୍ ଇନିଂସ କରିଥିବା ଅଷ୍ଟ୍ରେଲିଆର ଟ୍ରାଭିସ୍ ହେଡ୍ ବ୍ୟାଟିଂ କ୍ରମର ତୃତୀୟ ସ୍ଥାନରେ ଅଛନ୍ତି । ମଧ୍ୟ‌କ୍ରମରେ କୋହଲି, ନ୍ୟୁଜିଲ୍ୟାଣ୍ଡର ଡାରିଲ୍ ମିଚେଲ ଓ ଦକ୍ଷିଣ ଆଫ୍ରିକାର ହେନ୍ରିଚ୍ କ୍ଲାସେନ୍ ଏବଂ ମାର୍କୋ ୟାନସେନ୍ ଅଛନ୍ତି। କୋହଲି ଗତବର୍ଷ ୧୩୩୭ ରନ୍ ସହ ଦିନିକିଆ ଫର୍ମାଟରେ ଦ୍ୱିତୀୟ ସର୍ବାଧିକ ରନ୍ ସ୍କୋରର ହୋଇଥିଲେ | ସେ ଗତ ବର୍ଷ ୬ଟି ଶତକ ହାସଲ କରିଥିଲେ। ସେ ଦିନିକିଆ ଫର୍ମାଟରେ ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଶତକର ରେକର୍ଡ ଭାଙ୍ଗି ବିଶ୍ୱକପ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ତିନି ଭାରତୀୟ ସିରାଜ, ସାମି ଏବଂ କୁଲଦୀପ ଯାଦବଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଆଡାମ ଜାମ୍ପା ବୋଲିଂ ଆକ୍ରମଣରେ ସ୍ଥାନ ପାଇଛନ୍ତି । ଜାମ୍ପା କ୍ରମାଗତ ତିନିଟି ବିଶ୍ୱକପ ମ୍ୟାଚ୍‌ରେ ୨୬.୩୧ ହାରାହାରି ସହ ୩୮ ୱିକେଟ୍ ନେଇଥିଲେ। ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଗତ ବର୍ଷ ସିରାଜ ୪୪ ୱିକେଟ୍ ନେଇଥିବା ବେଳେ କୁଲଦୀପ ୪୯ ୱିକେଟ୍ ହାସଲ କରିଥିଲେ ।

ଅନ୍ୟପକ୍ଷରେ ସାମି ଚାରିଥର ପାଞ୍ଚରୁ ଊର୍ଦ୍ଧ୍ବ ୱିକେଟ୍ ନେଇ ଗତବର୍ଷ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ବିଶ୍ୱକପ ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ସେ ୫୭ ରନରେ ସର୍ବାଧିକ ୭ ୱିକେଟ୍ ନେଇଥିଲା। ଅଷ୍ଟ୍ରେଲୀୟ ଅଧିନାୟକ ପାଟ କମିନ୍ସଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ଆଇସିସି ଟେଷ୍ଟ ଦଳରେ ଭାରତର କେବଳ ରବିନ୍ଦ୍ର ଜାଡେଜା ଏବଂ ଆର ଅଶ୍ୱିନଙ୍କୁ ସାମିଲ କରାଯାଇଛି।

Exit mobile version