Site icon ଆଜିକାଲି

ବ୍ରିଟେନର ପ୍ରଥମ ହିନ୍ଦୁ ପ୍ରଧାନମନ୍ତ୍ରୀ ଋଷି ସୁନକ୍

ଲଣ୍ଡନ : ବ୍ରିଟେନ ରାଜନୀତିରେ ଇତିହାସ ସୃଷ୍ଟି ହୋଇଛି। ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ଋଷି ସୁନକ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପ୍ରଥମ ଥର ବିଫଳ ହେବା ପରେ ଏ‌ହି ୪୨ ବର୍ଷୀୟ ନେତା ଦ୍ବିତୀୟ ପ୍ରୟାସରେ ନିର୍ଦ୍ବନ୍ଦ୍ବରେ କଞ୍ଜର୍ଭେଟିଭ୍ ପାର୍ଟିର ନେତା ନିର୍ବାଚିତ ହୋଇଛନ୍ତି । ସୁନକ ହେଉଛନ୍ତି ବ୍ରିଟେନର ପ୍ରଥମ ହିନ୍ଦୁ ଓ ୨୦୦ ବର୍ଷରେ ସର୍ବକନିଷ୍ଠ ପ୍ରଧାନମନ୍ତ୍ରୀ । ରାଜା ଚାର୍ଲ୍ସ ତୃତୀୟଙ୍କୁ ଭେଟିବା ପରେ ସେ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଋଷି ସୁନକ ହେଉଛନ୍ତି ଇନଫୋସିସ୍ ସହପ୍ରତିଷ୍ଠାତା ନାରାୟଣ ମୁର୍ତ୍ତିଙ୍କ ଜ୍ବାଇଁ । ଋଷିଙ୍କ ପିତାମାତା ଭାରତୀୟ ବଂଶୋଦ୍ଭବ ଥିଲେ। ତାଙ୍କ ପିତା ଯଶବୀର କେନିଆ ଏବଂ ମା ଉଷା ତାଞ୍ଜାନିଆରେ ଜନ୍ମ ହୋଇଥିଲେ। ଋଷିଙ୍କ ଜେଜେବାପା ପଞ୍ଜାବ ପ୍ରଦେଶରେ (ତତ୍କାଳୀନ ବ୍ରିଟିଶ ଇଣ୍ଡିଆ)ରେ ଜନ୍ମଗ୍ରହଣ କରିଥିଲେ। ପରେ ସେମାନେ ୧୯୬୦ ଦଶକରେ ନିଜ ପିଲାମାନଙ୍କ ସହିତ ବ୍ରିଟେନକୁ ପଳାଇ ଆସିଥିଲେ ।

ଋଷି ୧୨ ମଇ ୧୯୮୦ରେ ବ୍ରିଟେନର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତା ଜଣେ ଡାକ୍ତର ଏବଂ ମା’ ଜଣେ ଫାର୍ମାସିଷ୍ଟ ଥିଲେ। ତିନି ଭାଇଭଉଣୀଙ୍କ ମଧ୍ୟରୁ ଋଷି ଜ୍ୟେଷ୍ଠ | ଭାରତୀୟ ବଂଶୋଦ୍ଭବ ଋଷି ବ୍ରିଟେନର ସାଉଥମ୍ପଟନରେ ଜନ୍ମଗ୍ରହଣ କରିଥିଲେ | ସେ ବ୍ରିଟେନର ୱିନ୍‌ଷ୍ଟର କଲେଜରୁ ରାଜନୀତି ବିଜ୍ଞାନ ଅଧ୍ୟୟନ କରିଥିଲେ। ଏହା ପରେ ସେ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ନାମ ଲେଖାଇ ସେଠାରେ ଦର୍ଶନ ଏବଂ ଅର୍ଥନୀତି ପଢ଼ିଥିଲେ । ସେ ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟର ଫୁଲବ୍ରାଇଟ୍ ସ୍କଲାର୍ ଥିଲେ । ଏହି ବିଶ୍ବବିଦ୍ୟାଳୟରୁ ସେ ଏମବିଏ ମଧ୍ୟ କରିଥିଲେ। ଋଷି ସୁନକ୍ ଗ୍ରାଜୁଏସନ ପରେ ଗୋଲ୍ଡମ୍ୟାନ୍ ସାକ୍ସ କମ୍ପାନୀରେ କାମ କରିଥିଲେ ଏବଂ ପରେ ହେଜ୍ ଫଣ୍ଡ୍ କମ୍ପାନୀର ପାର୍ଟନର ହୋଇଥିଲେ |

ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଋଷି ଏକ ବିଲିୟନ ପାଉଣ୍ଡର ଏକ ଇନଭେଷ୍ଟମେଣ୍ଟ କମ୍ପାନୀ ପ୍ରତିଷ୍ଠା କରିଥିଲେ। ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରେ ଏମବିଏ କରିବା ସମୟରେ ଋଷିିଙ୍କ ସାକ୍ଷାତ ଇନଫୋସିସର ସହପ୍ରତିଷ୍ଠାତା ନାରାୟଣ ମୁର୍ତ୍ତୀଙ୍କ ଝିଅ ଅକ୍ଷତା ମୁର୍ତ୍ତୀଙ୍କ ସହ ହୋଇଥିଲା ଯାହାଙ୍କୁ ସେ ପରେ ବିବାହ କରିଥିଲେ। ସେମାନଙ୍କର ଦୁଇ ଝିଅ କୃଷ୍ଣା ଏବଂ ଅନୁଷ୍କା ଅଛନ୍ତି। ୟର୍କଶାୟାରର ରିଚମଣ୍ଡର ସାଂସଦ ଋଷି ସୁନକ ୨୦୧୫ରେ ପ୍ରଥମ ଥର ପାଇଁ ସଂସଦକୁ ନିର୍ବାଚିତ ହୋଇଥିଲେ । ସେହି ସମୟରେ ବ୍ରେକ୍ସିଟ୍ କୁ ସମର୍ଥନ କରି ପାର୍ଟିରେ ତାଙ୍କର ସ୍ତର ବଢିବାକୁ ଲାଗିଥିଲା। ଋଷି ସେତେବେଳେ ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେଙ୍କ କ୍ୟାବିନେଟରେ କନିଷ୍ଠ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତାଙ୍କୁ ସବୁବେଳେ କଂଜରଭେଟିଭ୍ ପାର୍ଟିର ଉଦୀୟମାନ ନେତା ଭାବରେ ଦେଖାଯାଉଥିଲା। ଦଳର ଅନେକ ବଡ଼ ନେତା ମଧ୍ୟ ତାଙ୍କୁ ବହୁଥର ପ୍ରଶଂସା କରିଛନ୍ତି। ୪୨ ବର୍ଷୀୟ ସୁନକ ଫେବୃଆରୀ ୨୦୨୦ରେ ବୋରିସ୍ ଜନସନ ସରକାରରେ ଅର୍ଥମନ୍ତ୍ରୀ ହୋଇ ଇତିହାସ ରଚିଥିଲେ । ଋଷି ସୁନକ୍ ମଧ୍ୟ ଜଣେ ଫିଟନେସ୍ ଫ୍ରେକ୍ | ଏହାଛଡ଼ା କ୍ରିକେଟ୍, ଫୁଟବଲ୍ ବ୍ୟତୀତ ସେ ଫିଲ୍ମରେ ରୁଚି ରଖନ୍ତି।

Exit mobile version