Site icon ଆଜିକାଲି

ୟୁକ୍ରେନକୁ ଆମେରିକା ଓ ନାଟୋ ଦେଶ କ୍ଷେପଣାସ୍ତ୍ର ଯୋଗାଇଲେ କଡ଼ା ଜବାବ ଦେବ ରୁଷ : ପୁଟିନ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧକୁ ଅଢ଼େଇ ବର୍ଷ ଅତିକ୍ରମ କରିସାରିଛି। ହେଲେ ଦୁଇ ଦେଶ ମଧ୍ୟରୁ କୌଣସି ଦେଶ ଯୁଦ୍ଧ ବନ୍ଦ କରିବା ସପକ୍ଷରେ ନାହାନ୍ତି। ବରଂ ୟୁକ୍ରେନ ଏହାକୁ ଅଧିକ ତୀବ୍ରତର କରିବାକୁ ଯୋଜନା ଚଳାଇଛି। ରୁଷ ଉପରେ ଆକ୍ରମଣକୁ ବ୍ୟାପକ କରିବା ଲାଗି ୟୁକ୍ରେନ ପୁଣି ଥରେ ନାଟୋ ସହଯୋଗ ଲୋଡ଼ିଛି, ଯାହାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛି ରୁଷ। ରୁଷ ଉପରେ ଆକ୍ରମଣ ପାଇଁ ୟୁକ୍ରେନକୁ ଆମେରିକା କିମ୍ବା ନାଟୋ ସହଯୋଗୀ ଦେଶଗୁଡ଼ିକ ସହଯୋଗ କଲେ ଏହାର ଦୃଢ଼ ଜବାବ ଦିଆଯିବ ବୋଲି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି।

ରୁଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ସବୁଠୁ ବିପଜ୍ଜନକ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ରୁଷ ପ୍ରତିରକ୍ଷା ବିଭାଗ ଅଧିକାରୀମାନେ କହିଛନ୍ତି। ଆମେରିକା ଏବଂ ନାଟୋ ସହଯୋଗୀ ଦେଶଗୁଡ଼ିକ ଉଦ୍ଦେଶ୍ୟରେ ରୁଷ ଚେତାବନୀ ଦେଇ କହିଛି ଯେ, ଯଦି ସେମାନେ ପଶ୍ଚିମ ଦେଶଗୁଡ଼ିକ ଦ୍ଵାରା ନିର୍ମିତ କ୍ଷେପଣାସ୍ତ୍ର ୟୁକ୍ରେନକୁ ଯୋଗାଣ କରନ୍ତି ଏବଂ ୟୁକ୍ରେନ ସେଥିରେ ରୁଷର ଆଭ୍ୟନ୍ତରୀଣ ଇଲାକାରେ ଆକ୍ରମଣ କରେ, ତେବେ ଏହାର ପରିଣାମ ଭୟଙ୍କର ହେବ।

Exit mobile version