Site icon ଆଜିକାଲି

‘ସାଇ ବାବା, ଆପଣ ସବୁ ଦେଖୁଥିବେ ବୋଲି ଆଶା..’, ଉପେକ୍ଷିତ ହେବା ପରେ ପୃଥ୍ବୀ ଶ’ଙ୍କ ଭାବପ୍ରବଣ ପୋଷ୍ଟ

ନୂଆଦିଲ୍ଲୀ: ଚେତନ ଶର୍ମାଙ୍କ ନେତୃତ୍ୱାଧୀନ ଚୟନ କମିଟି ସୋମବାର ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ଗସ୍ତ ପାଇଁ ଦଳ ଘୋଷଣା କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରାଯାଇଥିବା ବେଳେ ରିଷଭ ପନ୍ତଙ୍କୁ ଉପଅଧିନାୟକ ଭାବେ ନିଯୁକ୍ତ କରାଯାଇଛି।

ଉଭୟ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ଅନେକ ନୂଆ ଓ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । ହେଲେ ଘରୋଇ କ୍ରିକେଟରେ କ୍ରମାଗତ ଭଲ ପ୍ରଦର୍ଶନ ସତ୍ତ୍ୱେ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ଶ’ଙ୍କୁ ପୁଣି ଉପେକ୍ଷା କରାଯାଇଛି । ଏହି ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ନ୍ୟୁଜିଲାଣ୍ଡ ଏବଂ ବାଂଲାଦେଶ ବିପକ୍ଷରେ କୌଣସି ଫର୍ମାଟରେ ବି ସ୍ଥାନ ପାଇ ନାହାଁନ୍ତି।

ଦଳ ଘୋଷଣାର କିଛି ସମୟ ପରେ ପୃଥ୍ବୀ ଶ’ ଏକ ଭାବପ୍ରବଣ ସୋସିଆଲ ମିଡିଆ ପୋଷ୍ଟ କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ଏବେ ଖୁବ୍ ଚର୍ଚ୍ଚା ହେଉଛି । ଘରୋଇ କ୍ରିକେଟରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ଶ’ ଗତ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଭାରତୀୟ ଦଳ ବାହାରେ ଅଛନ୍ତି। ପୃଥ୍ବୀ ଶ’ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଭାବପୂର୍ଣ୍ଣ ପୋଷ୍ଟ ସେୟାର କରି ଲେଖିଛନ୍ତି, “ସାଇ ବାବା, ଆଶା ଆପଣ ସବୁକିଛି ଦେଖୁଛନ୍ତି।” ତେବେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିଛନ୍ତି ଯେ ପୃଥ୍ବୀ ଶ’ ଚୟନକର୍ତ୍ତାଙ୍କ ରାଡାରରୁ ଦୂରେଇ ନାହାଁନ୍ତି।

ଚେତନ ଶର୍ମା କହିଛନ୍ତି, “ପୃଥ୍ବୀଙ୍କ ସହିତ କିଛି ଭୁଲ୍ ହୋଇନାହିଁ। ସିଷ୍ଟମରେ ଥିବା ଏବଂ ଭଲ ପ୍ରଦର୍ଶନ କରୁଥିବା ଖେଳାଳିଙ୍କୁ ଆମକୁ ଦେଖିବାକୁ ପଡିବ। ଆମେ ଶ’ଙ୍କ ସହ ଲଗାତାର ଯୋଗାଯୋଗରେ ଅଛୁ। ସେ ଶୀଘ୍ର ସୁଯୋଗ ପାଇବେ।”

ପୃଥ୍ବୀ ଶ’ ଶେଷରେ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ଭାରତର ପ୍ରତିନିଧିତ୍ୱ କରିଥିଲେ । ସେବେଠାରୁ ସେ ଭାରତୀୟ ଦଳ ବାହାରେ ଅଛନ୍ତି। ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ଗସ୍ତ ପାଇଁ ଭାରତୀୟ ଦଳରେ ଶ’ଙ୍କୁ ସାମିଲ କରିନଥିବାରୁ ସୋସିଆଲ ମିଡିଆରେ ଅନେକ ଲୋକ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

Exit mobile version