Site icon ଆଜିକାଲି

ଜୁନ୍ ୨୦କୁ ‘ବିଶ୍ୱ ବିଶ୍ୱାସଘାତକ ଦିବସ’ ଘୋଷଣା କରାଯାଉ, ଜାତିସଂଘକୁ ଚିଠି ଲେଖି କାହିଁକି ଏପରି ଦାବି କଲେ ସଞ୍ଜୟ ରାଉତ ?

ମୁମ୍ବାଇ: ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ ମିଳିତ ଜାତିସଂଘକୁ ଏକ ଚିଠି ଲେଖି ଜୁନ୍ ୨୦କୁ ‘ବିଶ୍ୱ ବିଶ୍ୱାସଘାତକ ଦିବସ’ ଘୋଷଣା କରିବାକୁ ଦାବି କରିଛନ୍ତି। ଜାତିସଂଘକୁ ଲେଖିଥିବା ଚିଠିକୁ ସଞ୍ଜୟ ରାଉତ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି।

ଚିଠିରେ ସେ କହିଛନ୍ତି ଯେ ଜୁନ୍ ୨୦କୁ ‘ବିଶ୍ୱ ବିଶ୍ବାସଘାତକ ଦିବସ’ ଘୋଷଣା କରିବାକୁ ଦାବି କରି ଦଳ ମହାରାଷ୍ଟ୍ରରୁ ଲୋକଙ୍କ ଦସ୍ତଖତ ସଂଗ୍ରହ କରିବ ଓ ତାହାକୁ ଜାତିସଂଘକୁ ପଠାଇବ। ସୂଚନାଯୋଗ୍ୟ ଯେ ଗତ ବର୍ଷ ଜୁନ୍ ୨୦ରେ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ ଜଣ ବିଧାୟକ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ।

ଜାତିସଂଘର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରାସଙ୍କୁ ଲେଖିଥିବା ଏକ ପତ୍ରରେ ସଞ୍ଜୟ ରାଉତ କହିଛନ୍ତି ଯେ ଜୁନ୍ ୨୧ରେ ବିଶ୍ୱ ଯୋଗ ଦିବସ ପାଳନ କରାଯାଉଥିବାରୁ ସେହିଭଳି ଜୁନ୍ ୨୦ରେ ବିଶ୍ୱ ବିଶ୍ବାସଘାତକ ଦିବସ ପାଳନ କରାଯିବା ଉଚିତ୍। ସେ କହିଛନ୍ତି, ବିଶ୍ୱରେ ବିଶ୍ୱାସଘାତକତାର ଅନେକ ଉଦାହରଣ ଅଛି ଏବଂ ମହାରାଷ୍ଟ୍ରର ଲୋକମାନେ ମଧ୍ୟ ଜୁନ୍ ୨୦୨୨ରେ ଏପରି ଗୋଟିଏ ଦୃଷ୍ଟାନ୍ତ ଦେଖିଛନ୍ତି। ଏହାଦ୍ୱାରା ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହା ବିକାଶ ଅଘାଡି ସରକାର (ଶିବସେନା – ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି – କଂଗ୍ରେସ)ଙ୍କ ପତନ ଘଟିଥିଲା। ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ମହାରାଷ୍ଟ୍ରର ଉଦ୍ଧବ ଠାକରେଙ୍କ ସରକାରକୁ ଭାଙ୍ଗିବାକୁ ବିଜେପି ନିଜର ସବୁ ବଳ ଲଗାଇ ଦେଇଥିଲା ।

Exit mobile version