Site icon ଆଜିକାଲି

ସାଂସଦ ସଞ୍ଜୟ ସିଂହଙ୍କୁ ମିଳିଲାନି ଆଶ୍ୱସ୍ତି, ନଭେମ୍ବର ୧୦ ପର୍ଯ୍ୟନ୍ତ ବଢିଲା ହାଜତ ମିଆଦ

ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ସମ୍ପର୍କିତ ଅର୍ଥ ହେରଫେର ମାମଲାରେ ଗିରଫ ଆମ ଆଦମୀ ପାର୍ଟି (ଆପ୍) ନେତା ସଞ୍ଜୟ ସିଂହଙ୍କ ବିଚାର ବିଭାଗୀୟ ହାଜତ ମିଆଦ ଶୁକ୍ରବାର ପୁଣି ବଢିଛି। ସିଂହଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିଲା। ମାମଲାର ଶୁଣାଣି କରୁଥିବା ବିଚାରପତି ଜଷ୍ଟିସ୍ ଏମ.କେ.ନାଗପାଲଙ୍କ କୋର୍ଟ ସିଂହଙ୍କ ବିଚାରବିଭାଗୀୟ ହାଜତ ମିଆଦ ନଭେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି।

ତେବେ ଏହି ସମୟରେ କୋର୍ଟ ସିଂହଙ୍କୁ ତାଙ୍କ ପାରିବାରିକ ଖର୍ଚ୍ଚ ସହିତ ସଂସଦ ସଦସ୍ୟ ରୂପେ ତାଙ୍କ କାର୍ଯ୍ୟ ନିମନ୍ତେ କିଛି ଚେକ୍‌ରେ ସ୍ୱାକ୍ଷର କରିବାକୁ ଅନୁମତି ଦେଇଛନ୍ତି। ଏହା ଛଡା ବିଚାରବିଭାଗୀୟ ହାଜତରେ ଅବସ୍ଥାନ କାଳରେ ସିଂହଙ୍କୁ ତାଙ୍କ ଘରୋଇ ଡାକ୍ତରଙ୍କ ସହିତ ଉଚିତ ଚିକିତ୍ସା ଉପଲବ୍ଧ କରିବା ପାଇଁ କୋର୍ଟ ଜେଲ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏ ବାବଦରେ କୋର୍ଟ କହିଥିଲେ ଯେ ଅଭିଯୁକ୍ତକୁ ବ୍ୟକ୍ତିଗତ ଭାବେ ତାଙ୍କ ଚିକିତ୍ସା କରାଇବାରେ ଅସ୍ୱୀକାର କରିବା ଭଳି କୌଣସି କାରଣ ଦେଖାଯାଉ ନାହିଁ।

ଏଣୁ କୋର୍ଟ ସମ୍ପର୍କିତ ଜେଲ ଅଧିକାରୀଙ୍କୁ ସିଂହଙ୍କର ଉଚିତ ଚିକିତ୍ସା ସୁନିଶ୍ଟିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟ ଅଭିଯୁକ୍ତଙ୍କ ଓକିଲଙ୍କୁ ଏହା ସୁନିଶ୍ଚିତ କରିବାକୁ କହିଛନ୍ତି ଯେ ଚିକିତ୍ସା କାଳରେ ସିଂହଙ୍କ ସମର୍ଥକ ଯେପରି ଚିକିତ୍ସା କେନ୍ଦ୍ରରେ ଠୁଳ ନ ହୁଅନ୍ତି ତାହା ସୁନିଶ୍ଚିତ କରିବେ। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ମଦ ଦୁର୍ନୀତି ଆର୍ଥିକ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳାୟ (ଇଡି) ସିଂଙ୍କୁ ଅକ୍ଟୋବର ୪ ତାରିଖ ଦିନ ଗିରଫ କରିଥିଲେ। ପରେ ତାଙ୍କୁ କୋର୍ଟରେ ହାଜର କରିଥିବା ବେଳେ ଇଡି ତାଙ୍କୁ ଦୁଇଥର ରିମାଣ୍ଡରେ ନେଇଥିଲା। ରିମାଣ୍ଡ ଅବଧି ସରିବା ପରେ କୋର୍ଟ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା ବେଳେ ଏବେ ହାଜତ ମିଆଦ ବୃଦ୍ଧି କରିଛନ୍ତି।

Exit mobile version