Site icon ଆଜିକାଲି

ଯୌନ ନିର୍ଯାତନା ମାମଲା: ପ୍ରଜ୍ବଳଙ୍କ ବିରୋଧରେ ଦ୍ୱିତୀୟ ଲୁକ୍ଆଉଟ୍ ନୋଟିସ୍

ନୂଆଦିଲ୍ଲୀ: କର୍ଣ୍ଣାଟକ ସେକ୍ସ କ୍ଲିପ୍ ମାମଲାର ତଦନ୍ତ କରୁଥିବା ଏସ୍ଆଇଟି ଶନିବାର ଜେଡିଏସ୍ ସାଂସଦ ପ୍ରଜ୍ବଳ ରେଭନ୍ନା ଓ ତାଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ଏଚଡି ରେଭନ୍ନାଙ୍କ ବିରୋଧରେ ଦ୍ୱିତୀୟ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି। ରାଜ୍ୟ ଗୃହମନ୍ତ୍ରୀ ଗଙ୍ଗାଧରୈୟା ପରମେଶ୍ୱର ଏହି ସୂଚନା ଦେଇଛନ୍ତି। ଏହାଛଡ଼ା ଏସ୍ଆଇଟି ଟିମ୍ ହାସନ ସ୍ଥିତ ପ୍ରଜ୍ବଳ ରେଭାନ୍ନାଙ୍କ ଘରେ ପହଞ୍ଚି ତଲାସି କରିଛି।

କର୍ଣ୍ଣାଟକ ଗୃହମନ୍ତ୍ରୀ ପରମେଶ୍ୱର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, “ଆମେ ଉଭୟ ଏଚଡି ରେଭନ୍ନା ଏବଂ ପ୍ରଜ୍ବଳ ରେଭନ୍ନାଙ୍କ ବିରୋଧରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛୁ। ଆଜି ସନ୍ଧ୍ୟା ସୁଦ୍ଧା ନୋଟିସର ଜବାବ ଦେବାକୁ କୁହାଯାଇଛି। ”

ଏଚଡି ରେଭନ୍ନା ଏବଂ ତାଙ୍କ ପୁଅ ପ୍ରଜ୍ଜ୍ବଳ ରେଭନ୍ନାଙ୍କ ବିରୋଧରେ ପ୍ରଥମ ଲୁକଆଉଟ୍ ନୋଟିସ୍ ଜାରି କରାଯିବା ପରେ ତଦନ୍ତକାରୀ ଦଳ ସେମାନଙ୍କ ଘରେ ପହଞ୍ଚିଥିଲା। ତଦନ୍ତକାରୀ ଟିମ୍ ସମ୍ମୁଖରେ ହାଜର ହେବାକୁ ସମୟ ଦେବାକୁ ଅନୁରୋଧ କରିଥିଲେ ପ୍ରଜ୍ବଳ। ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡାଙ୍କ ନାତି ପ୍ରଜ୍ବଳ ଅନେକ ମହିଳାଙ୍କୁ ଯୌନ ଶୋଷଣ କରିଥିବା ଅଭିଯୋଗ ହୋଇଛି। ସାଧାରଣ ନିର୍ବାଚନ ସମୟରେ ସୋସିଆଲ ମିଡିଆରେ ତାଙ୍କର ଏଭଳି ଘୃଣ୍ୟ କାରନାମାର ଭିଡିଓ ଭାଇରାଲ ହେବା ପରେ ସେ ଦେଶ ଛାଡ଼ି ପଳାଇଥିଲେ। ରାଜ୍ୟ ସରକାର ଏହି ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି) ଗଠନ କରିଛନ୍ତି। ପ୍ରଜ୍ବଳ ଏଥର ହାସନ ଲୋକସଭା ନିର୍ବାଚନମଣ୍ଡଳୀରୁ ଏନଡିଏ ପ୍ରାର୍ଥୀ ହୋଇଛନ୍ତ। ଏହି ଆସନରେ ଏପ୍ରିଲ ୨୬ରେ ମତଦାନ ହୋଇଥିଲା। ଜେଡିଏସ୍ ଗତ ବର୍ଷ ସେପ୍ଟେମ୍ବରରେ ଏନଡିଏରେ ସାମିଲ ହୋଇଥିଲା।

Exit mobile version