Site icon ଆଜିକାଲି

ଆଜିଠୁ ବାଂଲାଦେଶ-ଭାରତ ଦ୍ୱିତୀୟ ଟେଷ୍ଟ

ଢାକା: ଗୁରୁବାର ଠାରୁ ବାଂଲାଦେଶ ଓ ଭାରତ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ଆରମ୍ଭ ହେବ । ତେବେ ତା’ ପୂର୍ବରୁ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖରାପ ଖବର । ଆହତ ହୋଇଛନ୍ତି ଏହି ଟେଷ୍ଟ ସିରିଜ୍‌ରେ ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ଭାରତୀୟ ଦଳର ଅଧିନାୟକ ଦାୟିତ୍ୱ ସମ୍ଭାଳୁଥିବା କେ.ଏଲ ରାହୁଲ । ଅଭ୍ୟାସ କରୁଥିବା ବେଳେ ତାଙ୍କ ହାତରେ ବଲ୍ ବାଜିଛି । ରାହୁଲ ଆହତ ହୋଇଥିବା ନେଇ ଭାରତୀୟ ଦଳର ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ସୂଚନା ଦେଇଛନ୍ତି । ତା’ସହିତ ରାହୁଲଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଥିବା କହିଛନ୍ତି ।

ମ୍ୟାଚ୍ ପୂର୍ବରୁ ବୁଧବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିକ୍ରମ କହିଛନ୍ତି ଯେ ରାହୁଲଙ୍କୁ ଅଧିକ ଆଘାତ ଲାଗି ନାହିଁ । ସେ ଏକ ପ୍ରକାର ଭଲ ଅଛନ୍ତି । ଆଶା କରୁଛୁ ସେ ପୂରା ଠିକ୍ ହୋଇଯିବେ । ନେଟ୍ ସେସନର ଶେଷ ଆଡ଼କୁ ରାହୁଲଙ୍କ ହାତରେ ବଲ୍ ବାଜି ଆଘାତ ଲାଗିଥିଲା । ବ୍ୟାଟିଂ କୋଚ୍ ବିକ୍ରମ ରାଠୋର ତାଙ୍କୁ ବଲ୍ ପକାଉଥିବା ବେଳେ ଏହା ଘଟିଥିଲା । ବଲ୍‌ଟି ରାହୁଲଙ୍କ ଡାହାଣ ହାତରେ ବାଜିଥିଲା । ଯଦି କେ.ଏଲ୍ ରାହୁଲ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଯାଉଥିବା ମ୍ୟାଚ୍ ଖେଳି ନ ପାରନ୍ତି, ତା’ହେଲେ ଏଥିରେ ଅଧିନାୟକ ଦାୟିତ୍ୱ ଚେତେଶ୍ୱର ପୂଜାରାଙ୍କ କାନ୍ଧରେ ରହିବ । କାରଣ ଏହି ସିରିଜ୍ ପାଇଁ ସେ ଉପ-ଅଧିନାୟକ ଅଛନ୍ତି । ଦିନିକିଆ ସିରିଜ୍ ବେଳେ ଆହତ ହୋଇଥିବା ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଏଯାଏ ଫିଟ୍ ହୋଇ ନାହାନ୍ତି । ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟ ଭଳି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ମଧ୍ୟ ବାହାରେ ବସିବାକୁ ପଡ଼ିଛି । ତାଙ୍କ ସହ ଦ୍ରୁତ ବୋଲର ନବଦୀପ ସୈନି ମଧ୍ୟ ଆହତ ସମସ୍ୟା ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି । ଗତକାଲି ବିସିସିଆଇ ପକ୍ଷରୁ ଏନେଇ ଘୋଷଣା କରାଯାଇଥିଲା । ସୂଚନା ଯେ, ପ୍ରଥମ ଟେଷ୍ଟରେ ଭାରତ ୧୮୮ ରନ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା । ଏହା ସହିତ ଦଳ ୨ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ୧-୦ରେ ଆଗୁଆ ରହିଛି ।

କ୍ରିକଇନଫୋରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଅଭ୍ୟାସ ସମୟରେ ରାହୁଲଙ୍କ ହାତରେ ଆଘାତ ଲାଗିଥିଲା । ତେବେ ରାହୁଲଙ୍କ ଆଘାତ ଗୁରୁତର ନାହିଁ ବୋଲି ବ୍ୟାଟିଂ କୋଚ ବିକ୍ରମ ରାଠୋର କହିଛନ୍ତି । ସେ କହିଛନ୍ତି, ଯେ ଡାକ୍ତରମାନେ ଏହାର ଅନୁସନ୍ଧାନ କରୁଛନ୍ତି । ଆଶା କରୁଛି ସବୁକିଛି ଠିକ ହୋଇଯିବ । ଉଲ୍ଲେଖ ଥାଉ କି ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତଙ୍କ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା ।

Exit mobile version