Site icon ଆଜିକାଲି

ଦ୍ୱିତୀୟ ଟେଷ୍ଟ : ଇଂଲଣ୍ଡକୁ ଧରାଶାୟୀ କଲେ ବୁମରା, ପ୍ରଥମ ପାଳିରେ ୨୫୩ରେ ଅଲଆଉଟ

ନୂଆଦିଲ୍ଲୀ : ବୁମରାଙ୍କ ବୋଲିଂରେ ବୋଲ୍ଡ ହୋଇଗଲା ଟିମ୍‌ ଇଂଲଣ୍ଡ। ୬ ଓ୍ଵିକେଟ ନେଇ ଇଂଲଣ୍ଡକୁ କଲେ ଧରାଶାୟୀ । ବିଶାଖାପାଟନମର ଓ୍ଵାଇଏସ ରେଡ୍ଡି ଷ୍ଟାଡିୟମରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ପ୍ରଥମ ଇନିଂସରେ ୨୫୩ ରନ୍‌ କରି ଅଲଆଉଟ ହୋଇଛି ଇଂଲଣ୍ଡ । ଇଂଲଣ୍ଡ ଟିମ୍‌ ୨୫୩ ରନ୍‌ କରି ଅଲଆଉଟ ହୋଇଥିବା ବେଳେ ଭାରତ ୧୪୩ ରନରେ ଆଗୁଆ ରହିଛି । ଏବେ ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଯଶସ୍ୱୀ ଜୟସ୍ୱାଲ ବ୍ୟାଟିଂ କରୁଛନ୍ତି ।

ଇଂଲଣ୍ଡ ପ୍ରଥମ ଇନିଂସ ଆରମ୍ଭରେ ଭଲ ଖେଳିଥିଲା । ପ୍ରଥମରୁ ୧ ଓ୍ଵିକେଟ ହରାଇ ୧୧୩ ରନ୍‌ କରିଥିଲା । ଏମିତି ଲାଗୁଥିଲା ଇଂଲଣ୍ଡ ଟିମ୍‌ ପ୍ରଥମ ଇନିଂସରେ କିଛି ବଡ ସ୍କୋର କରିବ । କିନ୍ତୁ କୁଲଦୀପ ଯାଦବ ୧୭ ବଲରେ ୨୧ ରନ କରିଥିବା ଡକେଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। କିନ୍ତୁ ବୁମରାଙ୍କ ଲକ୍ଷ୍ୟ କିଛି ଅଲଗା ଥିଲା । ବୁମରାଙ୍କ ବୋଲିଂରେ ଚିତପଟାଙ୍ଗ ଦେଲା ଟିମ୍‌ । ଆଉ ବୁମରାଙ୍କ ସାଥ ଦେଇଥିଲେ କୁଲଦୀପ ଯାଦବ । ଦୁହେଁ ଇଂଲଣ୍ଡ ଟିମକୁ ଲଗାତାର ଝଟକା ଦେଇଥିଲେ । ତେଣୁ ଇଂଲଣ୍ଡ ଟିମ୍‌ ପ୍ରଥମ ପାଳିରେ ୨୫୩ ରନରେ ଅଲଆଉଟ୍‌ ହୋଇଯାଇଥିଲା । ଦ୍ୱିତୀୟ ଦିନ ଖେଳରେ ବୁମରା ୬ ଓ୍ଵିକେଟ ନେଇ ୪୫ ରନ୍‌ ଦେଇଥିଲେ । ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରୋଲି ୭୬ ରନ୍‌ କରିଛନ୍ତି । ସେହିପରି ବେନ ଷ୍ଟ୍ରୋକ୍ସ ୪୭ ରନ୍‌, ବିୟରଷ୍ଟୋ ୨୫, ହାର୍ଟଲୀ ୨୧ ରନ୍‌ କରିଛନ୍ତି ।ଭାରତ ପକ୍ଷରୁ ବୁମରା ୬ଟି, କୁଲଦୀପ ଯାଦବ ୩ଟି ଏବଂ ଅକ୍ଷର ପଟେଲ ୧ଟି ଓ୍ଵିକେଟ ନେଇଛନ୍ତି ।

ସୂଚନା ଯେ, ଭାରତ ପ୍ରଥମ ଇନିଂସରେ ୩୯୬ ରନ୍‌ କରି ଅଲଆଉଟ ହୋଇଥିଲା । ଭାରତ ପକ୍ଷରୁ ଜୟସ୍ୱାଲ ୨୦୯ ରନ୍‌ କରିଥିଲେ । ତେବେ ଭାରତ ଏବେ ଦ୍ୱିତୀୟ ଇନିଂସ ବ୍ୟାଟିଂ କରୁଛି । ରୋହିତ ଶର୍ମା ଏବଂ ଜୟସ୍ୱାଲ କ୍ରିଜରେ ରହିଛନ୍ତି।

Exit mobile version