Site icon ଆଜିକାଲି

ଦ୍ବିତୀୟ ଟେଷ୍ଟ: ଅଷ୍ଟ୍ରେଲିଆକୁ ୬ ଓ୍ବିକେଟରେ ହରାଇ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ : ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମେ ନାଗପୁର ଓ ପରେ ଦିଲ୍ଲୀ ଟେଷ୍ଟକୁ ମଧ୍ୟ ଅଢେଇ ଦିନରେ ଜିତିଛି ଟିମ୍ ଇଣ୍ଡିଆ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟର ତୃତୀୟ ଦିନରେ ଅଷ୍ଟ୍ରେଲିଆକୁ ୬ ୱିକେଟରେ ହରାଇ ଭାରତ ସିରିଜରେ ୨-୦ରେ ଅପରାଜେୟ ଅଗ୍ରଣୀ ହାସଲ କରିଛି। ଏଥିସହ ଭାରତ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି । କ୍ରମାଗତ ଚତୁର୍ଥ ଥର ପାଇଁ ଭାରତର ବର୍ଡର-ଗାଭାସ୍କର ଟ୍ରଫି ଜିତିଛି ।

ଭାରତର ଏହି ବିଜୟର ହିରୋ ଥିଲେ ରବିନ୍ଦ୍ର ଜାଡେଜା । ସେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ୪୨ ରନ୍ ଦେଇ ୭ ୱିକେଟ୍ ନେଇଥିଲେ। ଫଳରେ କଙ୍ଗାରୁ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୧୩ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଅଷ୍ଟ୍ରେଲିଆ ମାତ୍ର ୫୨ ରନରେ ଶେଷ ୯ ଓ୍ବିକେଟ୍ ହରାଇଥିଲା । ପ୍ରଥମ ଇନିଂସରେ ଭ୍ରମଣକାରୀ ଦଳ ୧ ରନରେ ଅଗ୍ରଣୀ ହାସଲ କରିଥିବାରୁ ଭାରତ ଆଗରେ ୧୧୫ ରନର ରନ୍ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା । ଏହାକୁ ଭାରତ ଲଞ୍ଚ୍ ବିରତି ପରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା | ଦଳ‌ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ୩୧ ରନ୍, ବିରାଟ କୋହଲି ୨୦ ରନ ଓ ରାହୁଲ ୧ ରନ୍ କରି ଆଉଟ୍ ହୋଇଥିଲେ । ଚେତେଶ୍ୱର ପୂଜାରା ୩୧ ଓ କୋନା ଭାରତ ୨୩ ରନ୍ କରି ଅପରାଜିତ ରହି ଔପଚାରିକତା ପୂରଣ କରିଥିଲେ । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୩ ରନ୍ ଜବାବରେ ଭାରତ ୨୬୨ କରିଥିଲା। ନାଗପୁରରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଭାରତ ଏକ ଇନିଂସ୍ ଓ ୧୩୨ ରନରେ ଜିତିଥିଲା।

Exit mobile version