Site icon ଆଜିକାଲି

ଏମ୍ସରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀଙ୍କ ପାଇଁ ଜଳଖିଆ ଆଣିବାକୁ ଯାଇପାରିବେନି ସିକ୍ୟୁରିଟି ଗାର୍ଡ

ନୂଆଦିଲ୍ଲୀ : ଏମ୍ସରେ କାର୍ଯ୍ୟରତ ଡାକ୍ତର ଓ କର୍ମଚାରୀମାନଙ୍କୁ କୌଣସି ପ୍ରକାରର ଚା’ କିମ୍ବା ଜଳଖିଆ ଦେବେନି ସିକ୍ୟୁରିଟି ଗାର୍ଡ। ଆଉ ଯଦି କୌଣସି ସିକ୍ୟୁରିଟି ଗାର୍ଡ ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ପାଇଁ ଚା ଜଳଖିଆ ଆଣିବାର ଧରାପଡ଼ନ୍ତି ତାଙ୍କୁ ତୁରନ୍ତ ଚାକିରିରୁ ବାହାର କରିଦିଆଯିବ। ଏମ୍ସ ଡକ୍ତରଙ୍କର ବାବୁପଣିଆ ବନ୍ଦ କରିବା ଓ ସିକ୍ୟୁରିଟିଗାର୍ଡଙ୍କର ଅପବ୍ୟବହାରକୁ ରୋକିବା ପାଇଁ ଏମ୍ସ ନୂଆ ନିର୍ଦ୍ଦେଶକ ଏମ୍‌ ଶ୍ରୀନିବାସ ଏହି ନିର୍ଦ୍ଦେଶ ଦେଇଛନ୍ତି। ସିକ୍ୟୁରିଟି ଗାର୍ଡମାନଙ୍କୁ ଯେଉଁ କାମ ପାଇଁ ନିଯୁକ୍ତି ଦିଆଯାଇଛି, ସେମାନେ କେବଳ ସେହି କାମ କରିବେ ବୋଲି ଜାରି ନିର୍ଦ୍ଦେଶନାମାରେ ଉଲ୍ଲେଖ କରାଯାଇଛି।

ଏମ୍ସ ପକ୍ଷରୁ ଜାରି ନିର୍ଦ୍ଦେଶାନାରେ କୁହାଯାଇଛି ଯେ, ସିକ୍ୟୁରିଟି କାମରେ ନିୟୋଜିତ କୌଣସି କର୍ମଚାରୀ ଅନ୍ୟ କାମ କରିବେ ନାହିଁ। ଯଦି ସେମାନେ ଡ୍ୟୁଟି ସମୟରେ ରିଫ୍ରେସମେଣ୍ଟର କିମ୍ବା ଖାଦ୍ୟ ଖାଆନ୍ତି, ତା’ହେଲେ ସେମାନଙ୍କୁ ଏମ୍ସର ସମସ୍ତ ପ୍ରକାରର ଦାୟିତ୍ୱରୁ ବିଦା କରାଯିବ। ନିକଟରେ ନିର୍ଦ୍ଦେଶକ ଶ୍ରୀନିବାସ ହସ୍ପିଟାଲର କିଛି ବିଭାଗ ପରିଭ୍ରମଣରେ ଆସିଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ଟ୍ରେରେ ବରିଷ୍ଠ କର୍ମଚାରୀ ଓ ଡାକ୍ତରମାନଙ୍କ ପାଇଁ ଚା’ ନେଇ ଯାଉଥିବା ଦେଖିବାକୁ ପାଇଥିଲେ। ତାଙ୍କୁ ହସ୍ପିଟାଲ କର୍ମଚାରୀ ଚା’ ଆଣିବାକୁ ନିର୍ଦ୍ଦେଶ ଦେଇଥିଲେ। ଏକଥା ଜାଣିବା ପରେ ଶ୍ରୀନିବାସ ଅସନ୍ତୋଷ ପ୍ରକାଶ କରିଥିଲେ।

ଏହି ଘଟଣାକୁ ଆଧାର କରି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ଏପରି ଘଟଣା କେବଳ ସୁରକ୍ଷା ବ୍ୟବସ୍ଥାରେ ବୁଝାମଣା କରୁନାହିଁ, ବରଂ ସିକ୍ୟୁରିଟି ସେବାର ଛବିକୁ ମଧ୍ୟ ଖରାପ ଭାବେ ଦର୍ଶାଉଛି। ତେଣୁ ସୁରକ୍ଷା ଓ ରୋଗୀଙ୍କୁ ସହଯୋଗ କରିବାକୁ ନିୟୋଜିତ ହୋଇଥିବା ସିକ୍ୟୁରିଟି କର୍ମଚାରୀମାନେ ଏହି କାମ ବ୍ୟତୀତ ଆଉ କିଛି ବି କରିବେ ନାହିଁ। ଯଦି କୌଣସି ସିକ୍ୟୁରିଟି ଗାର୍ଡ ଚା’/କଫି/ଜଳଖିଆ ନେଇ ଯାଉଥିବେ, ତା’ହେଲେ ଏଥିପାଇଁ କାଫେଟେରିଆ/କ୍ୟାଟିନ ଇନଚାର୍ଜ ଓ ବିଭାଗୀୟ ଅଧିକାରୀ ଦାୟୀ ରହିବେ।

Exit mobile version