Site icon ଆଜିକାଲି

ମାରାଥନ୍ ଜେରା ପରେ ବିଗିଡ଼ିଲା ସୀମା, ସଚିନଙ୍କ ସ୍ୱାସ୍ଥ୍ୟ

ନୂଆଦିଲ୍ଲୀ: ପାକିସ୍ତାନରୁ ନେପାଳ ଦେଇ ଭାରତ ପହଞ୍ଚିଥିବା ସୀମା ହାଇଦର ଏବଂ ତାଙ୍କ ଭାରତୀୟ ପ୍ରେମିକ ସଚିନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ବିଗିଡି ଯାଇଛି। ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ ଉଭୟ କଥାବାର୍ତ୍ତା କରିବାରେ ମଧ୍ୟ କଷ୍ଟ ଅନୁଭବ କରୁଛନ୍ତି । ଗାଁର ଜଣେ ଡାକ୍ତର ଉଭୟଙ୍କ ଚିକିତ୍ସା କରୁଛନ୍ତି।

ଉତ୍ତର ପ୍ରଦେଶର ଏଟିଏସ୍ ଗତ କିଛି ଦିନ ଧରି ସୀମା, ସଚିନ୍ ଏବଂ ତାଙ୍କ ବାପାଙ୍କୁ ମାରାଥନ୍ ଜେରା କରିଥିଲା। ତଦନ୍ତରୁ ସୀମା ପାକିସ୍ତାନରୁ ନେପାଳ ଏବଂ ପରେ ଭାରତକୁ ଆସିଥିବା ଜଣାପଡ଼ିଥିଲା । ସୀମାଙ୍କ ପାଖରୁ ମିଳିଥିବା ପାସପୋର୍ଟକୁ ମଧ୍ୟ ଏଟିଏସ୍ ଯାଞ୍ଚ କରୁଛି। ସୀମାଙ୍କ ନିକଟରୁ ୬ଟି ପାସପୋର୍ଟ ଉଦ୍ଧାର କରାଯାଇଥିଲା । ଏଥିମଧ୍ୟରୁ ୪ଟି ତାଙ୍କ ପିଲାଙ୍କର ଓ ଦୁଇଟି ସୀମାଙ୍କର |

ସୀମା ହାଇଦର ପାକିସ୍ତାନୀ ଗୁପ୍ତଚର ବୋଲି ଚର୍ଚ୍ଚା ହେଉଛି । ତେବେ ଏନେଇ ଏତେ ଶୀଘ୍ର କିଛି କହିବା ଠିକ୍ ନୁହେଁ ବୋଲି ସାମ୍ବାଦିକଙ୍କ ଏକ ପ୍ରଶ୍ନରେ ଉତ୍ତର ପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି । ଯେହେତୁ ଏହି ମାମଲା ଦୁଇ ଦେଶ ସହ ଜଡ଼ିତ, ଯଥେଷ୍ଟ ପ୍ରମାଣ ନ ମିଳିବା ପର୍ଯ୍ୟନ୍ତ କିଛି କୁହାଯାଇପାରିବ ନାହିଁ | ସୀମାଙ୍କୁ ପାକିସ୍ତାନ ଫେରାଇବାକୁ ପ୍ରସ୍ତୁତି ଚାଲିଛି କି ବୋଲି ପଚରାଯିବାରୁ ସେ କହିଛନ୍ତି, ଯାହା ହେବ ଆଇନ ଅନୁଯାୟୀ ହେବ ।

୨୭ ବର୍ଷୀୟା ସୀମା ହାଇଦର ପାକିସ୍ତାନର ସିନ୍ଧ ପ୍ରଦେଶର ବାସିନ୍ଦା । ସୀମା ପାକିସ୍ତାନର ଗୁଲାମ ହାଇଦରଙ୍କୁ ବିବାହ କରିଥିଲେ। ଗୁଲାମ ଆବୁଧାବିରେ କାମ କରୁଥିଲେ। ସୀମା କହିଛନ୍ତି ଯେ ୨୦୨୦ରେ କରୋନା ମହାମାରୀ ସମୟରେ ସେ ‘ପବଜୀ’ ଖେଳିବାବେଳେ ସଚିନଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ଏହା ପରେ ଦୁହେଁ ପ୍ରେମରେ ପଡ଼ିଥିଲେ |

ଭାରତୀୟ ପ୍ରେମିକଙ୍କୁ ଭେଟିବା ପାଇଁ ସୀମା ପାକିସ୍ତାନରେ ତାଙ୍କ ଘରକୁ ୧୭ ଲକ୍ଷରେ ବିକ୍ରି କରି ଦେଇଥିଲେ। ସେହି ଟଙ୍କାରେ ସୀମା ତାଙ୍କ ପ୍ରେମିକ ସଚିନଙ୍କୁ ଭେଟିବା ପାଇଁ ଭାରତ ଆସିବାରେ ସଫଳ ହୋଇଥିଲେ। ସଚିନ ମୀନା ମଧ୍ୟ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ନେପାଳ ଯାଇଥିଲେ । କାଠମାଣ୍ଡୁରେ ଉଭୟ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ଏଠାରେ କିଛି ଦିନ ରହିବା ପରେ ସଚିନ, ସୀମା ଏବଂ ତାଙ୍କର ଚାରି ପିଲା ପୁଣି ଭାରତ ଫେରିଆସିଥିଲେ ।

ସୀମା ନିଜକୁ ପଞ୍ଚମ ପାସ୍ ବୋଲି କହୁଛନ୍ତି | ସେ ଆଉ ପାକିସ୍ତାନ ଫେରିବେ ନାହିଁ। ତାଙ୍କ ପ୍ରେମିକ ସଚିନଙ୍କ ସହ ଭାରତରେ ହିଁ ରହିବେ ବୋଲି ସୀମା କହିଛନ୍ତି । ଭାରତର ନାଗରିକତା ପାଇଁ ମଧ୍ୟ ସେ ଆବେଦନ କରିଛନ୍ତି ।

Exit mobile version