Site icon ଆଜିକାଲି

ତୃତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା

ନୂଆଦିଲ୍ଲୀ : ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପତ୍ନୀ ସୀମା ସିସୋଦିଆଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ତାଙ୍କୁ ଗତ କିଛି ସପ୍ତାହ ଭିତରେ ତୃତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୀମା ସିସୋଦିଆ ଅଟୋଇମ୍ୟୁନ୍‌ ଡିସ୍‌ଅର୍ଡରରେ ପୀଡ଼ିତ, ଯେଉଁ କାରଣରୁ ତାଙ୍କୁ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି କରାଇବାକୁ ପଡ଼ିଛି।

ମଲ୍ଟିପଲ୍‌ ସ୍କେଲେରୋସିସ୍‌ ରୋଗରେ ପୀଡ଼ିତ ୪୯ ବର୍ଷୀୟା ସୀମା ତୃତୀୟ ଥର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗତ ଏପ୍ରିଲ ଶେଷରେ ଇନ୍ଦ୍ରପ୍ରସ୍ଥ ଅପୋଲୋ ହସ୍ପିଟାଲର ନ୍ୟୁରୋଲୋଜି ବିଭାଗରେ ସୀମାଙ୍କୁ ଭର୍ତ୍ତି କରାଯାଇଥିଲା। ସୀମା ସିସୋଦିଆଙ୍କୁ ୨୦୦୦ରେ ଏକ ଗମ୍ଭୀର ଅଟୋଇମ୍ୟୁନ୍‌ ରୋଗ ମଲ୍ଟିପଲ୍‌ ସ୍କେଲେରୋସିସ୍‌ ହୋଇଥିବା ବିଷୟରେ ଜଣାପଡ଼ିଥିଲା। ସେ ବିଗତ ୨୩ ବର୍ଷ ଧରି ଏକ ଘରୋଇ ହସ୍ପିଟାଲରେ ଏହାର ଚିକିତ୍ସା କରାଉଛନ୍ତି।

ସେପଟେ ମନୀଷ ସିସୋଦିଆ ବର୍ତ୍ତମାନ ଦିଲ୍ଲୀ ଅବକାରୀ ନୀତି ମାମଲାରେ ଜେଲ୍‌ରେ ଅଛନ୍ତି। ସିସୋଦିଆ ଏହା ପୂର୍ବରୁ ପତ୍ନୀଙ୍କ ସ୍ୱାସ୍ଥ୍ୟ ଖରାପ ଏବଂ ପୁଅ ବିଦେଶରେ ଥିବା ଦର୍ଶାଇ ଜାମିନ୍‌ ଆବେଦନ କରିଥିଲେ। ସିସୋଦିଆଙ୍କୁ ଗତ ଫେବୃୟାରୀରେ ଗିରଫ କରାଯାଇଥିଲା।

Exit mobile version