Site icon ଆଜିକାଲି

ବୀରେନ୍ଦ୍ର ସେହୱାଗ ଓ ଡାଏନା ଏଡୁଲଜି ଆଇସିସି ହଲ୍ ଅଫ୍ ଫେମରେ ସାମିଲ

ଦୁବାଇ: ଭାରତୀୟ ମହିଳା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟିକା ଡାଏନା ଏଡୁଲଜୀ ଓ ପୂର୍ବତନ ଓପନର ବୀରେନ୍ଦ୍ର ସେହୱାଗଙ୍କୁ ମିଳିଛି ଆଇସିସି ସମ୍ମାନ । ଏହି ଦୁଇ ଭାରତୀୟଙ୍କ ସହ ଶ୍ରୀଲଙ୍କା କିମ୍ବଦନ୍ତୀ ଅରବିନ୍ଦ ଡି’ସିଲଭାଙ୍କୁ ଆଇସିସି ହଲ୍ ଅଫ୍ ଫେମରେ ସାମିଲ କରାଯାଇଛି । ଡାଏନା ଏଡୁଲଜୀ ପ୍ରଥମ ଭାରତୀୟ ମହିଳା କ୍ରିକେଟର୍ ଭାବେ ଏହି ସମ୍ମାନ ପାଇଛନ୍ତି । ନିଜ କ୍ୟାରିୟରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ତିନିଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।

ଏଡୁଲଜୀ ଭାରତୀୟ ମହିଳା ଦଳର କ୍ୟାପଟେନ୍ ଥିଲେ । ପରେ ସେ କ୍ରିକେଟ୍ ପ୍ରଶାସକ ଭାବେ ଦାୟିତ୍ଵ ତୁଲାଇଥିଲେ। ଆଇସିସି ହଲ୍ ଅଫ୍ ଫେମରେ ପ୍ରଥମ ଭାରତୀୟ ମହିଳା କ୍ରିକେଟର ଭାବେ ସାମିଲ ହେବା ଏକ ଗୌରବର ବିଷୟ ବୋଲି ଏଡୁଲଜି କହିଛନ୍ତି।

ସେ ୧୯୭୬ ରୁ ୧୯୯୩ ମଧ୍ୟରେ ଭାରତ ପାଇଁ ୫୪ଟି ମ୍ୟାଚ୍ ଖେଳି ୧୦୦ରୁ ଅଧିକ ୱିକେଟ୍ ନେଇଥିଲେ। ଏଡୁଲଜି ୨୦ଟି ଟେଷ୍ଟରେ ୪୦୪ ରନ୍ ସଂଗ୍ରହ କରିବା ସହ ୬୩ ୱିକେଟ୍ ନେଇଥିଲେ। ଏହାଛଡ଼ା ୩୪ଟି ଅନ୍ତର୍ଜାତୀୟ ଦିନିକିଆରେ ସେ ୨୧୧ ରନ୍ କରିବ ସହ ୪୬ ୱିକେଟ୍ ନେଇଥିଲେ। ଏହା ପରେ ସେ ପଶ୍ଚିମ ରେଳବାଇରେ କ୍ରିକେଟ୍ ପ୍ରଶାସକ ହୋଇଥିଲେ।

ତାଙ୍କ ସମୟର ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ସେହୱାଗ ୧୯୯୯ ରୁ ୨୦୧୩ ମଧ୍ୟରେ ଭାରତ ପାଇଁ ଖେଳି ୨୩ ଟେଷ୍ଟ ଶତକ ହାସଲ କରିଥିଲେ। ୨୦୦୮ରେ ଚେନ୍ନାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩୧୯ ରନ୍ ଥିଲା ତାଙ୍କ ସର୍ବୋଚ୍ଚ ଟେଷ୍ଟ ସ୍କୋର୍ । ସେ ୧୦୪ଟି ଟେଷ୍ଟରେ ୮୫୮୬ ରନ୍ ସଂଗ୍ରହ କରିବା ସହ ୪୦ ୱିକେଟ୍ ନେଇଥିଲେ।

ଏହି ବିସ୍ଫୋରକ ବ୍ୟାଟର୍ ୨୫୧ଟି ଦିନିକିଆ ମ୍ୟାଚରେ ୮୨୭୩ ରନ୍ କରିଥିଲେ, ଯେଉଁଥିରେ ୨୦୧୧ରେ ଇନ୍ଦୋରରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୨୧୯ ରନର ଇନିଂସ ସାମିଲ । ଏହାଛଡ଼ା ସେହଓ୍ବାଗ ଏହି ଫର୍ମାଟରେ ୯୬ଟି ୱିକେଟ୍ ମଧ୍ୟ ନେଇଥିଲେ। ସେ ୧୯ ଟି-୨୦ ମ୍ୟାଚରେ ୩୯୪ ରନ୍ ସଂଗ୍ରହ କରିଥିଲେ। ଏହି ସମ୍ମାନ ପାଇଁ ସେହୱାଗ ଆଇସିସି ଏବଂ ଜୁରିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଡି’ ସିଲଭା ଶ୍ରୀଲଙ୍କାର ୧୯୯୬ ବିଶ୍ୱକପ ବିଜୟର ସ୍ଥପତି ଥିଲେ। ତାଙ୍କର ୧୯ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୯୩ ଟେଷ୍ଟରେ ୬୩୬୧ ରନ୍ ଏବଂ ୩୦୮ ଦିନିକିଆରେ ୯୨୮୪ ରନ୍ ସଂଗ୍ରହ କରିବା ସହ ୧୦୬ ୱିକେଟ୍ ନେଇଥିଲେ।

Exit mobile version