Site icon ଆଜିକାଲି

ରେଳ ଷ୍ଟେସନରେ ମୋଦୀଙ୍କ ଫଟୋ ସହ ସେଲଫି ବୁଥ୍ ନିର୍ମାଣ କରଦାତାଙ୍କ ଅର୍ଥର ଅପଚୟ: ଖଡ଼ଗେ

ନୂଆଦିଲ୍ଲୀ: ସୂଚନା ଅଧିକାର ଆଇନ ଅଧୀନରେ ରେଳ ବିଭାଗ ତରଫରୁ ମିଳିଥିବା ଉତ୍ତର ଆଧାରରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତିି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । ଦେଶର ବିଭିନ୍ନ ରେଳ ଷ୍ଟେସନ ଗୁଡ଼ିକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ସହିତ ସେଲଫି ବୁଥ୍ ସ୍ଥାପନ କରିବା କରଦାତାଙ୍କ ଅର୍ଥର ଅପଚୟ ବୋଲି ଖଡ଼ଗେ କହିଛନ୍ତି । ବିରୋଧୀ ଦଳ ଶାସିତ ରାଜ୍ୟଗୁଡିକ ମନରେଗା ପାଣ୍ଠିକୁ ଅପେକ୍ଷା କରିଥିବା ବେଳେ ସରକାର ରେଳ ଷ୍ଟେସନରେ ଏପରି ସେଲଫି ବୁଥ୍ ନିର୍ମାଣ କରି ଅର୍ଥ ରଅପଚୟ କରୁଛନ୍ତି ବୋଲି କହିଛନ୍ତି‌ ଖଡ଼ଗେ ।

ସୂଚନା ଅଧିକାର (ଆରଟିଆଇ) ଆଇନ ଅନୁଯାୟୀ ମିଳିଥିବା ଉତ୍ତରର ଏକ କପି ସେ ସେୟାର କରିଛନ୍ତି, ଯେଉଁଥିରେ କେନ୍ଦ୍ରୀୟ ରେଳବାଇ ଅଧୀନ ସେହି ଷ୍ଟେସନ ଗୁଡ଼ିକର ତାଲିକା ରହିଛି ଯେଉଁଠି ଏପରି ସ୍ଥାୟୀ ସେଲଫି ବୁଥ୍ ସ୍ଥାପନ କରାଯାଇଛି ।

ଏହି ଆରଟିଆଇ ଉତ୍ତର ମୁତାବକ, ‘ଏ’ ଶ୍ରେଣୀ ଷ୍ଟେସନ ପାଇଁ ଅସ୍ଥାୟୀ ‘ସେଲଫି ବୁଥ’ର ଅନୁମୋଦିତ ମୂଲ୍ୟ ୧.୨୫ ଲକ୍ଷ ଟଙ୍କା ହୋଇଥିବାବେଳେ ଶ୍ରେଣୀ ‘ସି’ ଷ୍ଟେସନ ପାଇଁ ସ୍ଥାୟୀ ସେଲଫି ବୁଥ’ର ସ୍ଥାପନ ମୂଲ୍ୟ ୬.୨୫ ଲକ୍ଷ ଟଙ୍କା।

ଖଡ଼ଗେ ଅଭିଯୋଗ କରିଛନ୍ତି, “ମୋଦୀ ସରକାରଙ୍କ ଆତ୍ମ ପ୍ରଚାରର କୌଣସି ସୀମା ନାହିଁ ! ରେଳ ଷ୍ଟେସନରେ ମୋଦୀ ଜୀଙ୍କ ୩-ଡି ସେଲଫି ପଏଣ୍ଟ ସ୍ଥାପନ କରିବା ଟିକସଦାତାଙ୍କ ଅର୍ଥର ସମ୍ପୂର୍ଣ୍ଣ ଅପଚୟ |

ସେ କହିଛନ୍ତି, ମୋଦୀ ଜୀଙ୍କର କଟ୍-ଆଉଟ୍ ସହିତ ଏଭଳି ୮୨୨ ସେଲଫି ପଏଣ୍ଟ ସ୍ଥାପନ କରିବାକୁ ସଶସ୍ତ୍ର ବାହିନୀକୁ ନିର୍ଦ୍ଦେଶ ଦେଇ ସାହସୀ ସୈନିକମାନଙ୍କ ବଳିଦାନର ରାଜନୈତିକ ଲାଭ ଉଠାଉଛନ୍ତି ସରକାର ।

କଂଗ୍ରେସ ସଭାପତି ଦାବି କରିଛନ୍ତି, “ମରୁଡ଼ି ଏବଂ ବନ୍ୟା ପରିସ୍ଥିତି ପାଇଁ ମୋଦି ସରକାର ରାଜ୍ୟମାନଙ୍କୁ ଅର୍ଥ ପ୍ରଦାନ କରିନାହାଁନ୍ତି। ବିରୋଧୀ ଶାସିତ ରାଜ୍ୟଗୁଡିକର ମନରେଗା ପାଣ୍ଠି ମଧ୍ୟ ବାକି ରହିଛି | କିନ୍ତୁ ଏହି ଶସ୍ତା ନିର୍ବାଚନ ଷ୍ଟଣ୍ଟରେ ସାଧାରଣ ଜନତାଙ୍କ ପଇସା ଖର୍ଚ୍ଚ କରିବାର ଦୁଃସାହସିକ ହେଉଛି ! ”

Exit mobile version