Site icon ଆଜିକାଲି

ଆଉ ନାହାନ୍ତି ବରିଷ୍ଠ ଅଭିନେତା ଅରୁଣ ବଳି

ମୁମ୍ବାଇ: ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲିଙ୍କ ପରଲୋକ । ଆଜି ମୁମ୍ବାଇରେ ସେ ଅନ୍ତିମ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। ତାଙ୍କର ବଳିଷ୍ଠ ଅଭିନୟ ଦର୍ଶକଙ୍କଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସମସ୍ତଙ୍କୁ ପ୍ରଭାବିତ କରିପାରୁଥିଲା। ଜଣେ ବରିଷ୍ଠ କଳାକାରଙ୍କୁ ହରାଇ ଶୋକରେ ବୁଡିଛି କଳାଜଗତ ।

ବୟସାଧିକ ଏବଂ ରୋଗବ୍ୟାଧି ହେତୁ ଅରୁଣ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ଅରୁଣ ବିରଳ ନ୍ୟୁରୋମସ୍କୁଲାର ଏବଂ ମାଇଷଥେନିଆ ଗ୍ରାଭିସ ରୋଗରେ ପୀଡିତ ଥିଲେ। ତାଙ୍କୁ ଚଳିତ ବର୍ଷ ଆରମ୍ଭରେ ମୁମ୍ବାଇର ହିରନନ୍ଦନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।
ମାଇଷଥେନିଆ ଗ୍ରାଭିସ ହେଉଛି ଏକ ପ୍ରକାର ଅଟୋମ୍ୟୁମ୍ୟୁନ୍ ଡିସଅର୍ଡର୍। ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ଦୁର୍ବଳ କରି ଟିସୁ ପ୍ରଭାବିତ କରେ। ଅରୁଣଙ୍କ ଅଭିନୀତି ଫିଲ୍ମ ମଧ୍ୟରେ ଥ୍ରୀ ଇଡିଅଟ୍ସ, କେଦାରନାଥ, ପାନିପତ, ହେ ରାମ, ଦଣ୍ଡ ନାୟକ, ରେଡ୍ଡି, ଜାମିନ୍, ପୋଲିସୱାଲା ଗୁଣ୍ଡା, ଫୁଲ ଅର ଅଙ୍ଗାର, ଏବଂ ରାମ ଜାନେରେ ତାଙ୍କର ଦମଦାର ଅଭିନୟ ଦର୍ଶକଙ୍କ ପାଖରେ ଅଧିକ ପରିଚୟ କରିପାରିଛି।

ହିନ୍ଦୀ ସିନେମା ଜଗତରେ ଅରୁଣ ଏକ ଜଣାଶୁଣା ନାଁ ଥିଲେ। ସେ ଅନେକ ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ମଧ୍ୟ କାମ କରିଛନ୍ତି। ୧୯୯୧ ମସିହାରେ ସେ ଚାଣକ୍ୟଙ୍କ ଉପରେ ପର୍ଯ୍ୟବସିତ କିଙ୍ଗ ପୋରସରେ ଅଭିନୟ କରିଛନ୍ତି । ତାଙ୍କ ମୃତ୍ୟୁରେ ବଲିଉଡ୍ ଜଗତରେ ଶୋକର ଛାୟା ଖେଳିଯାଇଛି।

Exit mobile version