Site icon ଆଜିକାଲି

ପୁଣି ବିଗିଡ଼ିଲା ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ : ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି । ତେଣୁ ତାଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଡଭାନୀଙ୍କୁ ରୁଟୀନ ଚେକଅପ୍ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କର ଅଫିସ ତରଫରୁ କୁହାଯାଇଛି । ବିଜେପି ନେତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ତାଙ୍କର ଚିକିତ୍ସା କରୁଥିବା ଡା. ବିନୀତ ପୁରୀ କହିଛନ୍ତି । ଆଡଭାନୀଙ୍କୁ ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

ଏହା ପୂର୍ବରୁ ଗତ ସପ୍ତାହରେ ମଧ୍ୟ ଆଡଭାନୀଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିଥିଲା । ତେଣୁ ତାଙ୍କୁ ଗତ ୨୭ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୬ ତାରିଖ ବିଳମ୍ବିତ ରାତିରେ ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଆଡଭାନୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ବୟସାଧିକ ସ୍ୱାସ୍ଥ୍ୟା ସମସ୍ୟା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପରିବାର ପକ୍ଷରୁ କୁହାଯାଇଥିଲା । ତା’ ପରଦିନ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରି ଦିଆଯାଇଥିଲା ।

Exit mobile version