Site icon ଆଜିକାଲି

‘ପଠାନ୍’କୁ ନେଇ ବିବାଦ ମଧ୍ୟରେ ମୁହଁ ଖୋଲିଲେ ଶାହରୁଖ

କୋଲକାତା : ୨୮ ତମ କୋଲକାତା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (କେଆଇଏଫ୍ଏଫ୍) ର ଉଦଘାଟନୀ ଉତ୍ସବରେ ଯୋଗ ଦେଇ ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ତାଙ୍କ ଆଗାମୀ ଫିଲ୍ମ ‘ପଠାନ୍’କୁ ନେଇ ଉଠିଥିବା ବିବାଦ ଉପରେ ମୁହଁ ଖୋଲିଛନ୍ତି । ସେ ଯାହା ବି ହେଉ, ଆମ ଭଳି ଲୋକ ଯେକୌଣସି ପରିସ୍ଥିତିରେ ପଜିଟିଭ୍ ରହିବେ ବୋଲି ପ୍ରକାଶ କରିଛନ୍ତି ।

ଶାହାରୁଖ କହିଛନ୍ତି ଯେ, “ଏପରି ଏକ ସମୟ ଥିଲା ଯେତେବେଳେ ଆମେ ପରସ୍ପରକୁ ସାକ୍ଷାତ କରିପାରୁନଥିଲୁ। କିନ୍ତୁ ବର୍ତ୍ତମାନ ବିଶ୍ଵ ସ୍ବାଭାବିକ ହେବାରେ ଲାଗିଛି। ଆମେ ସମସ୍ତେ ଖୁସି ଏବଂ ମୁଁ ସବୁଠୁ ବେଶି ଖୁସି। ମୁଁ ଏହା କହିବାକୁ ଆଦୌ ସଙ୍କୋଚ ମନେ କରୁନି ଯେ ଦୁନିଆ ଯାହା ବି କରୁ ନା କାହିଁକି, ମୁଁ ଏବଂ ଆପଣ ଏବଂ ଦୁନିଆର ସମସ୍ତ ପଜିଟିଭ୍ ଲୋକ ଜୀବିତ ଅଛନ୍ତି। ସେହିପରି ସୋସିଆଲ ମିଡିଆ ଆମ ଦୃଷ୍ଟିକୋଣକୁ ପ୍ରଭାବିତ କରିଥାଏ । ସୋସିଆଲ ମିଡିଆ ସିନେମା ଉପରେ ନକାରାତ୍ମକ ପ୍ରଭାବ ପକାଉଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି । କିନ୍ତୁ ମୋର ବିଶ୍ୱାସ ଯେ ସିନେମାକୁ ବର୍ତ୍ତମାନ ଆହୁରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ପଡ଼ିବ। ସୋସିଆଲ ମିଡିଆ ପ୍ରାୟତଃ ଏକ ନିର୍ଦ୍ଦିଷ୍ଟ ସଂକୀର୍ଣ୍ଣ ବିଚାର ଦ୍ବାରା ପରିଚାଳିତ ହୋଇଥାଏ । ମୁଁ କୌଣସି ସ୍ଥାନରେ ପଢିଥିଲି ଯେ ନେଗେଟିଭିଟି ସୋସିଆଲ ମିଡିଆର ବ୍ୟବହାରକୁ ବଢ଼ାଇଥାଏ। ତେଣୁ ଏହାର ବ୍ୟବସାୟିକ ମୂଲ୍ୟ ସାମଗ୍ରିକ ଦୃଷ୍ଟିଭଙ୍ଗୀକୁ ନଗଣ୍ୟ କରି ଏହାକୁ ଏକ ବିଭାଜନକାରୀ ଏବଂ ବିନାଶକାରୀ ପ୍ଲାଟଫର୍ମରେ ପରିଣତ କରିଥାଏ ।

ସୂଚନା ଯେ, ରିଲିଜ୍ ହେବା ପୂର୍ବରୁ ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଚଳଚ୍ଚିତ୍ର ‘ପଠାନ’ ବିବାଦ ଘେରକୁ ଆସିଛି । ଫିଲ୍ମର ଗୀତ ‘ବେସରମ ରଙ୍ଗ..’ରେ ଦୀପିକା ପାଦୁକୋନଙ୍କ ଗେରୁଆ ରଙ୍ଗର ବିକିନି ଏବଂ ଉତ୍ତେଜକ ଦୃଶ୍ୟକୁ ନେଇ ବିବାଦ ଉଠିଛି । ଏଥିରେ ଆପତ୍ତି ଉଠାଇ କିଛି ହିନ୍ଦୁ ସଂଗଠନ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ଦାବି କରିଛନ୍ତି । ‘ପଠାନ’ କୁ ବ୍ୟାନ୍ କରିବା ପାଇଁ ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ମଧ୍ୟ ଚେତାବନୀ ଦେଇଛନ୍ତି ।‌

Exit mobile version