Site icon ଆଜିକାଲି

ପୁତୁରାଙ୍କୁ ଶରଦ ପାୱାରଙ୍କ କଟାକ୍ଷ, କହିଲେ ଅଜିତ କେବଳ ସ୍ବପ୍ନରେ ମୁଖ୍ୟମନ୍ତ୍ରୀ ହୋଇପାରିବେ

ଅକୋଲା (ମହାରାଷ୍ଟ୍ର): ଏନସିପି ସଭାପତି ଶରଦ ପାୱାର ଗୁରୁବାର ତାଙ୍କ ପୁତୁରା ତଥା ବିଦ୍ରୋହୀ ଏନସିପି ଦଳର ନେତା ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବା ଅଭିଳାଷ ନେଇ କଟାକ୍ଷ କରିଛନ୍ତି । ଅଜିତ କେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି କହିଛନ୍ତି ‌ପାଓ୍ବାର ।

ଏଠାରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶରଦ ପାୱାର କହିଛନ୍ତି, ଦେଶର ୭୦ ପ୍ରତିଶତ ରାଜ୍ୟରେ ବିଜେପିର ଶାସନ ନାହିଁ ଏବଂ ଦଳ ମହାରାଷ୍ଟ୍ରରେ ମଧ୍ୟ କ୍ଷମତାଚ୍ୟୁତ ହେବ ।

ଏନସିପି ଭାଙ୍ଗି ଚଳିତ ବର୍ଷ ଜୁଲାଇରେ ଶିବସେନା-ବିଜେପି ସରକାରରେ ଯୋଗ ଦେଇଥିବା ରାଜ୍ୟର ବର୍ତ୍ତମାନର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ନେଇ ଚାଲିଥିବା କଳ୍ପନାଜଳ୍ପନା ବିଷୟରେ ପଚାରିବାରୁ ଏହି ଭେଟେରାନ ନେତା କହିଥିଲେ, ଅଜିତ ପାୱାରଙ୍କ ମୁଖ୍ୟମନ୍ତ୍ରୀ ହେବା ସ୍ବପ୍ନ କେବଳ ସ୍ବପ୍ନ ହୋଇ ରହିଯିବ ।

୨୦୨୪ ନିର୍ବାଚନ ପରେ ମହାରାଷ୍ଟ୍ରରେ ମହା ବିକାଶ ଆଘାଡି (ଏମଭିଏ) କ୍ଷମତାକୁ ଆସିବ ବୋଲି ପାଓ୍ବାର ଆଶା ବ୍ୟକ୍ତ କରିଛନ୍ତି। ଏନସିପି ବ୍ୟତୀତ ଶିବସେନା (ୟୁବିଟି) ଏବଂ କଂଗ୍ରେସ ହେଉଛନ୍ତି ଏମଭିଏର ଅନ୍ୟ ଦୁଇ ସହଯୋଗୀ ଦଳ ।

ଶରଦ ପାୱାର କହିଛନ୍ତି, ବିଜେପି ଅନ୍ୟ ଦଳ ଭାଙ୍ଗି କିଛି ରାଜ୍ୟରେ କ୍ଷମତାକୁ ଆସିଛି । କିନ୍ତୁ ୭୦ ପ୍ରତିଶତ ରାଜ୍ୟରେ ଏହାର ସରକାର ନାହିଁ। ମହାରାଷ୍ଟ୍ରରେ ବି ଦଳ କ୍ଷମତାରୁ ହଟିବ ।

Exit mobile version