Site icon ଆଜିକାଲି

ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ମିଳିଲା ‘ମଶାଲ’ ଚିହ୍ନ

ମୁମ୍ବାଇ: ନିର୍ବାଚନ ଆୟୋଗ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନାକୁ ‘ମଶାଲ’ ଚିହ୍ନ ଦେଇଛନ୍ତି। ଉଦ୍ଧବ ଗୋଷ୍ଠୀ ‘ତ୍ରିଶୂଳ’ ଚିହ୍ନ ଦାବି କରିଥିଲା । କିନ୍ତୁ ଏ‌ହା ଏକ ଧାର୍ମିକ ପ୍ରତୀକ ଦର୍ଶାଇ ନିର୍ବାଚନ ଆୟୋଗ ଉଦ୍ଧବ ଗୋଷ୍ଠୀର ଦାବି ଖାରଜ କରିଦେଇଥିଲେ । ଦୁଇ ଶିବସେନା ଗୋଷ୍ଠୀ ମଧ୍ୟରେ ବିବାଦ ଦୃଷ୍ଟିରୁ ନିର୍ବାଚନ ଆୟୋଗ ଉଭୟ ଉଦ୍ଧବ ଓ ସିନ୍ଦେ ଟିମକୁ ନୂଆ ନାମ ମଧ୍ୟ ଆବଣ୍ଟନ କରିଛନ୍ତି । ଉଦ୍ଧବ ଠାକରେ ନେତୃତ୍ୱାଧୀନ ଦଳକୁ ‘ଶିବସେନା – ଉଦ୍ଧବ ବାଲାସାହେବ ଠାକରେ’ ଭାବେ ନାମିତ କରିବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଏକନାଥ ସିନ୍ଦେଙ୍କ ଦଳକୁ ‘ବାଲାସାହେବଞ୍ଚି ଶିବସେନା’ (ବାଲାସାହେବଙ୍କ ଶିବସେନା) ନାମ ଦିଆଯାଇଛି ।

ନିର୍ବାଚନ ଆୟୋଗ ସେମାନଙ୍କୁ “ବାଲାସାହେବ” ଉଲ୍ଲେଖ ଥିବା ନୂଆ ନାମ ବଣ୍ଟନ କରିଥିବାରୁ ଉଭୟ ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ଵାଧୀନ ଶିବସେନା ଗୋଷ୍ଠୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଆୟୋଗ ‘ଠାକରେ’ ନେତୃତ୍ୱାଧୀନ ଶିବସେନାକୁ ‘ମଶାଲ’ ଚିହ୍ନ ଦେଇଛନ୍ତି। ମଙ୍ଗଳବାର ସକାଳ ୧୦ଟା ସୁଦ୍ଧା ତିନୋଟି ନିର୍ବାଚନ ଚିହ୍ନ ତାଲିକା ଦାଖଲ କରିବାକୁ ଆୟୋଗ ସିନ୍ଦେ ଗୋଷ୍ଠୀକୁ କହିଛନ୍ତି।

ନିର୍ବାଚନ ଆୟୋଗ ମଧ୍ୟ କହିଛନ୍ତି ଯେ ଉଭୟ ଗୋଷ୍ଠୀ ‘ଉଦିତ ସୂର୍ଯ୍ୟ’ ଭାବେ ନିର୍ବାଚନ ଚିହ୍ନ ମଧ୍ୟ ଦାବି କରିଥିଲେ । କିନ୍ତୁ ଏହି ଚିହ୍ନ ପୂର୍ବରୁ ତାମିଲନାଡୁ ଏବଂ ପୁଡୁଚେରୀର ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ) ପାଇଁ ସଂରକ୍ଷିତ ରହିଛି। ଧାର୍ମିକ ପ୍ରତୀକ ଦର୍ଶାଇ ନିର୍ବାଚନ ଚିହ୍ନ ଭାବେ ‘ତ୍ରିଶୂଳ’ ଏବଂ ‘ଗଦା’ ବଣ୍ଟନ କରିବାକୁ ଶିବସେନାର ଦୁଇ ଗୋଷ୍ଠୀର ପ୍ରସ୍ତାବକୁ ଆୟୋଗ ପ୍ରତ୍ୟାଖ୍ୟାନ କରିଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ଶନିବାର ନିର୍ବାଚନ ଆୟୋଗ ଉଭୟ ଶିବସେନା ଶିବିରକୁ ନଭେମ୍ବର ୩ରେ​​ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ହେବାକୁ ଥିବା ଉପ ନିର୍ବାଚନରେ ଦଳର ନାମ ଏବଂ ପ୍ରତୀକ ବ୍ୟବହାର କରିବାକୁ ମନା କରିଥିଲେ। ସୋମବାର ଅପରାହ୍ନ ସୁଦ୍ଧା ତିନୋଟି ଭିନ୍ନ ନାମ ଏବଂ ସମାନ ସଂଖ୍ୟକ ଚିହ୍ନ ଦାଖଲ କରିବାକୁ ଆୟୋଗ ଉଭୟ ଶିବସେନା କ୍ୟାମ୍ପକୁ କହିଥିଲେ। ରାଜନୈତିକ ଦଳଗୁଡିକରେ ଧାର୍ମିକ ସମ୍ପର୍କ ଥିବା ନିର୍ବାଚନ ଚିହ୍ନ ବଣ୍ଟନ ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର କଠୋର ଆଭିମୁଖ୍ୟ ଗ୍ରହଣ କରିଥିବା ଜଣାପଡିଛି।

ଶିବସେନାର ଉଭୟ ଦଳ ନିର୍ବାଚନ ଚିହ୍ନ ଭାବେ ‘ତ୍ରିଶୂଳ’ ଏବଂ ‘ଉଦିତ ସୂର୍ଯ୍ୟ’ ବଣ୍ଟନ କରିବାକୁ ଦାବି କରିଥିଲେ। ୫୫ ଶିବସେନା ବିଧାୟକଙ୍କ ମଧ୍ୟରୁ ୪୦ ଜଣ ଏବଂ ୧୮ ଲୋକସଭା ସାଂସଦଙ୍କ ମଧ୍ୟରୁ ୧୨ ଜଣଙ୍କ ସମର୍ଥନ ଥିବା ଦାବି କରି ସିନ୍ଦେ, ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ବିଦ୍ରୋହ କରିଥିଲେ। ଉଦ୍ଧବଙ୍କ ଇସ୍ତଫା ପରେ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରି ବିଜେପି ସମର୍ଥନରେ ସରକାର ଗଠନ କରିଥିଲେ।

Exit mobile version