Site icon ଆଜିକାଲି

ଟଲିଉଡ ଜଗତକୁ ଝଟକା, ଆରପାରିରେ ଅଭିନେତା ଚଲପତି ରାଓ

ହାଇଦ୍ରାବାଦ : ବର୍ଷ ୨୦୨୨ ବିଦାୟ ନେବାକୁ ଆଉ ହାତ ଗଣତି ଦିନ କେଇଟା ବାକି ଥିବାବେଳେ କଳା ଜଗତକୁ ଆଉ ଏକ ଝଟକା ଲାଗିଛି । ସିନେମା ଜଗତରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଦକ୍ଷିଣ ଭାରତୀୟ ସିନେମାର ଭେଟେରାନ ଅଭିନେତା ଚଲପତି ରାଓଙ୍କ ପରଲୋକ ହୋଇଛି । ୭୮ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି ଅଭିନେତା ଚଲପତି ରାଓ । ହାଇଦ୍ରାବାଦସ୍ଥିତ ବାସଭବନରେ ରବିବାର ହୃଦଘାତରେ ତାଙ୍କ ପରଲୋକ ଘଟିଛି ।

୧୯୪୪ ମଇ ୮ରେ କ୍ରିଷ୍ଣା ଜିଲା ବାଲିପାରୁରେ ଜନ୍ମଗ୍ରହଣ କରିଥିଲେ ଚଲପତି ରାଓ । ନିଖୁଣ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ଛାପ ଛାଡିଛନ୍ତି ଚଲପତି । ୬୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଚଲପତି ରାଓ ଖାଲି ଜଣେ ଅଭିନେତା ନୁହନ୍ତି ଜଣେ ପ୍ରଯୋଜକ ଭାବରେ ମଧ୍ୟରେ ଜଣାଶୁଣା ଥିଲେ । ୧୯୬୬ରେ ଫିଲ୍ମ ଜଗତରେ ପାଦ ଥାପିଥିଲେ ଏହି ଅଭିନେତା । ‘ଗୁଡାଚାରି ୧୧୬’ ତାଙ୍କ ଅଭିନୀତ ପ୍ରଥମ ଫିଲ୍ମ । ଏହା ପରେ ଦର୍ଶକଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଭେଟି ଦେଇଥିଲେ । କଲିୟୁଗ କ୍ରିଷ୍ଣାଦୁ, କାଦାପା ରେଡାମ୍ମା, ଜଗନ୍ନାଟାକାମ, ପେଲାଣ୍ଟା ନୁରେଲ୍ଲା, ରାଷ୍ଟ୍ରପତି ଗିରି ଅଲ୍ଲୁଟା ଆଦି ଚଳଚ୍ଚିତ୍ରରେ ପ୍ରଯୋଜକ ଭାବେ କାର୍ଯ୍ୟ କରିଛନ୍ତି । ଆଉ ପରଦାରେ ଏହି ଅଭିନେତାଙ୍କ ଅଭିନୟ ଦେଖିପାରିବେ ନାହିଁ ଦର୍ଶକ । ଚଲପତି ରାଓଙ୍କ ବିୟୋଗ ଟଲିଉଡ ଜଗତ ପାଇଁ ଅପୂରଣୀୟ କ୍ଷତି ।

Exit mobile version