Site icon ଆଜିକାଲି

ନୀତୀଶ କୁମାରଙ୍କୁ ଝଟକା, ମଣିପୁରର ପାଞ୍ଚ ଜେଡି(ୟୁ) ବିଧାୟକ ବିଜେପିରେ ମିଶିଲେ

ଇମ୍ଫାଲ: ଅରୁଣାଚଳ ପ୍ରଦେଶ ପରେ ବର୍ତ୍ତମାନ ମଣିପୁରରେ ମଧ୍ୟ ନୀତୀଶ କୁମାରଙ୍କ ଦଳ ଜେଡିୟୁକୁ ବଡ଼ ଝଟକା ଲାଗିଛି । ମଣିପୁରର ୬ ଜଣ ଜେଡି(ୟୁ) ବିଧାୟକଙ୍କ ମଧ୍ୟରୁ ପାଞ୍ଚ ଜଣ ରାଜ୍ୟର ଶାସକ ଦଳ ବିଜେପିରେ ଯୋଗ ଦେଇଛନ୍ତି। ଏହା ସହ ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୩୭କୁ ବୃଦ୍ଧି ପାଇଛି। ଗତ ମାସରେ ବିହାରରେ ବିଜେପି ଏବଂ ଜେଡିୟୁ ଅଲଗା ହେବା ପରେ ଦଳର ମଣିପୁର ବିଧାୟକଙ୍କ ଦ୍ଵାରା ଏହି ପଦକ୍ଷେପ ନିଆଯାଇଛି। ବିହାରରେ ବିଭାଜନ ପରେ ଜେଡିୟୁ ମଣିପୁରରେ ଏନ୍ ବିରେନ ସିଂହଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ସମର୍ଥନ ପ୍ରତ୍ୟାହାର କରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଥିଲା।ଶୁକ୍ରବାର ବିଧାନସଭା ସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ମଣିପୁର ବିଧାନସଭା ବାଚସ୍ପତି ଟିଏଚ୍ ସତ୍ୟବ୍ରତ ସିଂ ପାଞ୍ଚ ଜଣ ଜେଡି (ୟୁ) ବିଧାୟକ- କେ.ଏଚ୍ ଜୟକିଶନ, ଏନ ସନାତେ, ମହମ୍ମଦ ଅଛବାଉଦ୍ଦିନ, ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଏମ୍ ଖାଉଟେ ଏବଂ ଥାଙ୍ଗଜାମ ଅରୁକୁମାରଙ୍କ ବିଜେପିରେ ସାମିଲ ହେବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ।ମଣିପୁର ବିଧାନସଭା ସଚିବ କେ ମେଘଜିତ ସିଂଙ୍କ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ସମ୍ବିଧାନର ଦଶମ ସୂଚୀ ଅନୁଯାୟୀ ପାଞ୍ଚଜଣ ଜେଡି (ୟୁ) ବିଧାୟକଙ୍କ ବିଜେପି ସହିତ ମିଶ୍ରଣ ପ୍ରସ୍ତାବ ଗ୍ରହଣ କରିବା ସହ ଖୁସି ବ୍ୟକ୍ତ କରିଛନ୍ତି। ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଜେଡି (ୟୁ) ୩୮ଟି ଆସନରେ ପ୍ରାର୍ଥୀ ଦେଇଥିଲା । ସେଥିମଧ୍ୟରୁ ଦଳ କେବଳ ୬ଟି ଆସନରେ ଜିତିଥିଲା।

Exit mobile version