Site icon ଆଜିକାଲି

ଜେରୁଜେଲମରେ ଗୁଳିମାଡ଼ : ୭ ମୃତ, ୩ ଆହତ

ଜେରୁଜେଲମ : ପୂର୍ବ ଜେରୁଜେଲମର ଏକ ସିନେଗଗ୍ (ଇହୁଦୀମାନଙ୍କର ଉପାସନା ସ୍ଥଳ)ରେ ଜଣେ ଆତତାୟୀର ଗୁଳିମାଡ଼ରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର ସ୍ଥାନୀୟ ସମୟ ରାତି ପ୍ରାୟ ୮:୧୫ ବେଳେ ସହରର ନେଭ୍ ୟାକୋଭ ଅଞ୍ଚଳରେ ଘଟିଛି ​​| ପୋଲିସ ଗୁଳିରେ ଆତତାୟୀ ନିହତ ହୋଇଥିବା କୁହାଯାଇଛି । ଆକ୍ରମଣକାରୀ ଜଣେ ‘ଆତଙ୍କବାଦୀ’ ବୋଲି କହିଛି ପୋଲିସ ।

ସ୍ଥାନୀୟ ଗଣମାଧ୍ୟମ ଆକ୍ରମଣକାରୀକୁ ପୂର୍ବ ଜେରୁଜେଲମର ଜଣେ ପାଲେଷ୍ଟାଇନ ବୋଲି ଚିହ୍ନଟ କରିଛି। ଇସ୍ରାଏଲର ଇହୁଦୀ ଲୋକମାନେ ପୂର୍ବ ଜେରୁଜେଲମର ଏକ ଇହୁଦୀ ବସ୍ତି ନିକଟସ୍ଥ ସିନେଗଗ୍ ରେ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ। ଏହି ସମୟରେ ହଠାତ୍ ଜଣେ ବନ୍ଧୁକଧାରୀ ଆତତାୟୀ ଲୋକମାନଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲା ।

ପୋଲିସର ସୂଚନା ଅନୁଯାୟୀ ସୁରକ୍ଷାକର୍ମୀଙ୍କ ପାଲଟା କାର୍ଯ୍ୟାନୁଷ୍ଠାନରେ ଆତତାୟୀ ନିହତ ହୋଇଥିଲା । ଆତତାୟୀ ଯେଉଁ ଧଳା କାରରେ ଆସିଥିଲା ଫରେନସିକ୍ ଟିମ୍ ତାହାକୁ ଯାଞ୍ଚ୍ କରୁଛନ୍ତି।

ପାଲେଷ୍ଟାଇନର କିଛି ଆତଙ୍କବାଦୀ ଗୋଷ୍ଠୀ ଏହି ଆକ୍ରମଣକୁ ପ୍ରଶଂସା କରିଛନ୍ତି । ଓ୍ବେଷ୍ଟ ବ୍ୟାଙ୍କ ଓ ଗାଜା ଷ୍ଟ୍ରିପରେ ଥିବା ପାଲେଷ୍ଟିନୀୟମାନେ ଶୋଭାଯାତ୍ରା କରି ମିଠା ବଣ୍ଟନ କରି ଏହି ଆକ୍ରମଣରେ ଖୁସି ମନାଇଛନ୍ତି। ତେବେ ଏପର୍ଯ୍ୟନ୍ତ କୌଣସି ଗୋଷ୍ଠୀ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିନାହାଁନ୍ତି।

Exit mobile version