Site icon ଆଜିକାଲି

କେଜ୍ରିୱାଲଙ୍କୁ ସିବିଆଇ ସମନ ନେଇ ସିବଲଙ୍କ ପ୍ରତିକ୍ରିୟା – ‘ବିରୋଧୀ ମୁକ୍ତ’ ଭାରତ ଚାହୁଁଛି ବିଜେପି

ନୂଆଦିଲ୍ଲୀ:ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ସମନ ପରେ ରାଜ୍ୟସଭା ସଦସ୍ୟ କପିଳ ସିବଲ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଶାସକ ଦଳ ବିଜେପି ଏକ “ବିରୋଧୀ ମୁକ୍ତ” ଭାରତ ଚାହୁଁଛି । ସେମାନଙ୍କ ବିରୋଧରେ ଯେଉଁ ନେତା ଛିଡ଼ା ହେଉଛନ୍ତି, ଦଳ ସେମାନଙ୍କ ଛବି ଖରାପ କରିବାକୁ ଚେଷ୍ଟା କରୁଛି । କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଏପରି “ଅପବ୍ୟବହାର” ବିରୋଧରେ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି ସ୍ୱର ଉତ୍ତୋଳନ କରିବାକୁ ଅନୁରୋଧ କରିଛନ୍ତି ସିବଲ। ସେ କହିଛନ୍ତି ଯେ ଯଦି ସବୁ ଦଳ ଏକାଠି ନ ହେବେ, ତେବେ ବିଜେପିର ମୁକାବିଲା କରିବା କଷ୍ଟକର ହେବ।

ସେ ଏକ ବିବୃତ୍ତିରେ କହିଛନ୍ତି, “ସେମାନେ (ବିଜେପି) ଏକ ‘ବିରୋଧୀ ମୁକ୍ତ’ ଭାରତ ଚାହୁଁଛନ୍ତି ଏବଂ ସମସ୍ତ ବିରୋଧୀ ନେତାଙ୍କୁ ଟାର୍ଗେଟ କରୁଛନ୍ତି। ସେମାନେ ଝାଡଖଣ୍ଡ, ଛତିଶଗଡ଼ ଏବଂ କେରଳର ମୁଖ୍ୟମନ୍ତ୍ରୀ ତଥା ଅନ୍ୟ ବିରୋଧୀଦଳର ନେତାମାନଙ୍କୁ କିପରି ହଇରାଣ କରିଥିଲେ ତାହା ଆମେ ଦେଖିଛୁ । ବିଜେପି ସମ୍ବିଧାନର ଦଶମ ଅନୁସୂଚୀରେ ଉଲ୍ଲେଖ ବ୍ୟବସ୍ଥାର ଅପବ୍ୟବହାର କରି ନିର୍ବାଚିତ ସରକାରଗୁଡିକୁ ଭାଙ୍ଗିବାକୁ ଉଦ୍ୟମ କରୁଛି ବୋଲି ସିବଲ ଅଭିଯୋଗ କରିଛନ୍ତି । ଏହି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ବିଜେପି ବିରୋଧୀ‌ ଦଳର ନେତାଙ୍କ ଭାବମୂର୍ତ୍ତି ଖରାପ କରିବାକୁ ଚାହୁଁଛି । ଏଥିପାଇଁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଅପବ୍ୟବହାର କରୁଛି।

ସିବଲ କହିଛନ୍ତି ଯେ କେଜ୍ରିୱାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେ ଆଶଙ୍କା କରୁଥିଲେ। କାରଣ କେଜ୍ରିୱାଲ କେନ୍ଦ୍ର ଉପରେ ଲଗାତାର ଆକ୍ରମଣ କରୁଥିଲେ । ତେଣୁ ଅନ୍ୟ ବିରୋଧୀଦଳ ନେତାଙ୍କ ପରି ତାଙ୍କୁ ମଧ୍ୟ ଟାର୍ଗେଟ୍ କରାଯିବା ନିଶ୍ଚିତ ହୋଇଯାଇଥିଲା । ଅବକାରୀ ନୀତି ଅନିୟମିତତା ଅଭିଯୋଗରେ ସିବିଆଇ କେଜ୍ରିୱାଲଙ୍କୁ ଏପ୍ରିଲ ୧୬ରେ ହାଜର ହେବା ପାଇଁ ଶୁକ୍ରବାର ସମନ କରିଥିଲା । ଏହି ମାମଲାରେ କେନ୍ଦ୍ରୀୟ ଏଜେନ୍ସି ଗତ ମାସରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା।

କେଜ୍ରିୱାଲଙ୍କୁ ସମନ କରାଯିବା ପ୍ରତିକ୍ରିୟାରେ ସିବଲ ଟ୍ୱିଟ୍ କରି କହିଛନ୍ତି, “ସିବିଆଇ କେଜ୍ରିୱାଲଙ୍କୁ ସମନ କରିଛି। ବିଜେପି କହିଛି: ଏହା ଏକ ଆଇନଗତ ପ୍ରକ୍ରିୟା। ମୁଁ କହିବି: ନିର୍ଯାତନା ହେଉଛି। ”

ସଂଯୁକ୍ତ ପ୍ରଗତିଶୀଳ ମେଣ୍ଟ (ୟୁପିଏ) ସରକାରରେ ମନ୍ତ୍ରୀ ଥିବା ସିବଲ ଗତ ବର୍ଷ ମେ’ ମାସରେ କଂଗ୍ରେସରୁ ବିଦାୟ ନେଇଥିଲେ ଏବଂ ସମାଜବାଦୀ ପାର୍ଟି (ଏସପି)ର ସମର୍ଥନରେ ରାଜ୍ୟସଭାକୁ ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିଲେ। ନିକଟରେ ସେ ଅଣ-ନିର୍ବାଚନୀ ପ୍ଲାଟଫର୍ମ ‘ଇନସାଫ’ ଗଠନ କରିଥିଲେ, ଯାହା ଅନ୍ୟାୟ ବିରୁଦ୍ଧରେ ଲଢ଼ିବାକୁ ଲକ୍ଷ୍ୟ ରଖିଥିଲା।

କେଜ୍ରିୱାଲଙ୍କୁ ସିବିଆଇ ସମନ ଏକ ଷଡଯନ୍ତ୍ର ବୋଲି କହିଛି ଆମ୍ ଆଦମୀ ପାର୍ଟି (ଆପ୍) । କେଜ୍ରିୱାଲ ରବିବାର ଏଜେନ୍ସି ଆଗରେ ହାଜର ହେବେ ବୋଲି ନିଶ୍ଚିତ କରିଛନ୍ତି। ସୂଚନା ଯେ, ମଦ ନୀତି ଦୁର୍ନୀତିର “ମାଷ୍ଟରମାଇଣ୍ଡ” ବୋଲି ଅଭିଯୋଗ କରି ବିଜେପି ଆପ୍ ସଂଯୋଜକ କେଜ୍ରିୱାଲଙ୍କ ଉପରେ ଆକ୍ରମଣକୁ ଜୋରଦାର କରିଛି।

Exit mobile version