Site icon ଆଜିକାଲି

ସିଦ୍ଧରମୈୟା ନା ଶିବକୁମାର ? କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଆଜି ଘୋଷଣା କରିପାରେ କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପୂର୍ଣ୍ଣ ବହୁମତ ହାସଲ କରିବା ପରେ କଂଗ୍ରେସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ହୋଇଛି ମୁଖ୍ୟମନ୍ତ୍ରୀ ଚୟନ । ମୁଖ୍ୟମନ୍ତ୍ରୀ ପଦ ପାଇଁ ଦଳର ଦୁଇ ପ୍ରମୁଖ ନେତା ସିଦ୍ଧରମୈୟା ଓ ଡିକେ ଶିବକୁମାର‌ ଦାବିଦାର ଅଛନ୍ତି । ଉଭୟଙ୍କ ମଧ୍ୟରୁ କେହି ବି ଏହି ରେସରୁ ଓହରିବାକୁ ନାରାଜ । ଏଭଳି ସ୍ଥିତିରେ ରବିବାର (ମେ ୧୪) ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ମଧ୍ୟ ଏନେଇ କୌଣସି ନିଷ୍ପତ୍ତି ହୋଇପାରିନଥିଲା | ବରଂ ମୁଖ୍ୟମନ୍ତ୍ରୀ ଚୟନ ନିଷ୍ପତ୍ତି ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଉପରେ ଛାଡ଼ିବାକୁ ବୈଠକରେ ସର୍ବସମ୍ମତି କ୍ରମେ ସଂକଳ୍ପ ଗୃହୀତ ହୋଇଥିଲା। ନୂଆ ସରକାରର ଶପଥ ଗ୍ରହଣ ତାରିଖ ଦଳ ମେ ୧୮କୁ ଧାର୍ଯ୍ୟ କରିଥିବା ବେଳେ ଆଜି ଜାତୀୟ ସଭାପତି ଖଡ଼ଗେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବା ସମ୍ଭାବନା ରହିଛି ।

ରବିବାର ସନ୍ଧ୍ୟାରେ ବେଙ୍ଗାଲୁରୁରେ କଂଗ୍ରେସ ବିଧାୟକ ଦଳର ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା। ବୈଠକରେ ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ଏବଂ ଦଳ ନିଯୁକ୍ତ କରିଥିବା ତିନିଜଣ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଉପସ୍ଥିତ ଥିଲେ।

ସମସ୍ତ ୧୩୫ ନିର୍ବାଚିତ କଂଗ୍ରେସ ବିଧାୟକ ଏହି ବୈଠକରେ ଯୋଗ ଦେଇଥିଲେ । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେ, ଜିତେନ୍ଦ୍ର ସିଂ ଏବଂ ଦୀପକ ବାୱରିଆ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ପଦ ପାଇଁ ଦୁଇ ଆଶାୟୀ ଏ ସିଦ୍ଧରମୈୟା ଓ ଡିକେ ଶିବକୁମାର ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଦୌଡ଼ରେ ସିଦ୍ଧରମୈୟା ଓ ଶିବକୁମାରଙ୍କ ନାମ ଆଗରେ ରହିଛି। ଏହି ଦୁଇ ନେତାଙ୍କ ସହ ଏଚକେ ପାଟିଲ ଓ ଜି ପରମେଶ୍ବରଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ସୋମବାର ଉଭୟ ନେତା ଦିଲ୍ଲୀରେ ରହିବେ ବୋଲି ଜଣାପଡିଛି। ଏଠାରେ ସେମାନେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କୁ ଭେଟିବେ ବୋଲି ଆଶା କରାଯାଉଛି।

କଂଗ୍ରେସ ଦଳର କର୍ଣ୍ଣାଟକ ପ୍ରଭାରୀ ରଣଦୀପ ସୁରଜେୱାଲା କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବେ ସେହି ଘୋଷଣା କରିବାକୁ ଖଡ଼ଗେ ଅଧିକ ସମୟ ନେବେ ନାହିଁ । ଖୁବ୍ ଶୀଘ୍ର କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ। ଆଜି (ମେ ୧୫) ମଧ୍ୟ ଶିବକୁମାରଙ୍କ ଜନ୍ମଦିନ | ଏଭଳି ସ୍ଥିତିରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ସହ ଉପହାର ଦେବାକୁ କୌଣସି ଯୋଜନା ଅଛି କି ବୋଲି ପଚରାଯିବାରୁ ସୁରଜେୱାଲା ଏହାକୁ ଏଡ଼ାଇ ଦେଇଥିଲେ ।

ସିଦ୍ଧରମୈୟା ଏବଂ ଡିକେ ଶିବକୁମାରଙ୍କ ସମର୍ଥକମାନେ ବିଧାୟକ ଦଳ ବୈଠକ ଭେନ୍ୟୁ ବାଙ୍ଗାଲୋରର ହୋଟେଲ ବାହାରେ ନିଜ ନେତାଙ୍କ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ଉଭୟ ନେତାଙ୍କ ସମର୍ଥକମାନେ ତାଙ୍କୁ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହୁଁଛନ୍ତି। ଏହାପୂର୍ବରୁ ଉଭୟ ନେତାଙ୍କ ସମର୍ଥକମାନେ ପୋଷ୍ଟର ଯୁଦ୍ଧ ଦେଖିବାକୁ ମିଳିଥିଲା ।

Exit mobile version