Site icon ଆଜିକାଲି

ଆମେରିକାର ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ, ଚିନ୍ତାରେ ଭାରତୀୟ ଷ୍ଟାର୍ଟଅପ୍

ନୂଆଦିଲ୍ଲୀ: ସମଗ୍ର ବିଶ୍ୱର ଷ୍ଟାର୍ଟଅପ୍ ଗୁଡ଼ିକୁ ଫଣ୍ଡିଂ କରୁଥିବା ଆମେରିକୀୟ ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ଏହି ବ୍ୟାଙ୍କ ଦେବାଳିଆ ସ୍ଥିତିକୁ ଆସିଯାଇଛି । ସିଲିକନ୍ ଭ୍ୟାଲି ବ୍ୟାଙ୍କର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ଆମେରିକୀୟ ବ୍ୟାଙ୍କିଙ୍ଗ ନିୟାମକ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ବ୍ୟାଙ୍କ ବନ୍ଦ ହେବା ଖବରର ପ୍ରଭାବ ବିଶ୍ଵ ବଜାରରେ ଦେଖିବାକୁ ମିଳିଛି। ସିଲିକନ୍ ଭ୍ୟାଲି ବ୍ୟାଙ୍କ ଦେବାଳିଆ ହୋଇଯିବା ପରେ ଏହାର ସେୟାରରେ ନିବେଶ କରିଥିବା ନିବେଶକଙ୍କ ସମେତ ଭାରତୀୟ ଷ୍ଟାର୍ଟଅପ୍ ମାନଙ୍କ ଚିନ୍ତା ବଢ଼ି ଯାଇଛି।

ସିଲିକନ୍ ଭ୍ୟାଲି ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି କାଲିଫର୍ନିଆର ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ୍ ପ୍ରୋଟେକ୍ସନ ଏଣ୍ଡ୍ ଇନୋଭେସନ୍ ଏହାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ବ୍ୟାଙ୍କ ଗ୍ରାହକଙ୍କ ଆର୍ଥିକ ସୁରକ୍ଷା ଦାୟିତ୍ଵକୁ ଆମେରିକାର ଏହି ବ୍ୟାଙ୍କିଙ୍ଗ ରେଗୁଲେଟର ଫେଡେରାଲ ଡିପୋଜିଟ ଇନସୁରାନ୍ସ କର୍ପୋରେସନ (ଏଫଡିଆଇସି) ଉପରେ ନ୍ୟସ୍ତ କରିଛି ।

ଉଲ୍ଲେଖଯୋଗ୍ୟ ଯେ, ସିଲିକନ୍ ଭ୍ୟାଲି ବ୍ୟାଙ୍କ ଆମେରିକାର ୧୬ତମ ବୃହତ୍ତମ ବ୍ୟାଙ୍କ | ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ସିଲିକନ୍ ଭ୍ୟାଲି ବ୍ୟାଙ୍କ ସବୁଠାରୁ ବଡ ବ୍ୟାଙ୍କିଙ୍ଗ୍ କ୍ଷେତ୍ର ସଙ୍କଟ ଭାବେ ଉଭା ହୋଇଛି | ଏହାର ପ୍ରାୟ ୨ ବିଲିୟନ ଡଲାର କ୍ଷତି ହୋଇଛି ବୋଲି ନିକଟରେ ଏହି ବ୍ୟାଙ୍କ ଘୋଷଣା କରିଥିଲା । ଆମେରିକାର ବ୍ୟାଙ୍କିଙ୍ଗ୍ ନିୟାମକ ସିଲିକନ୍ ଭ୍ୟାଲି ବ୍ୟାଙ୍କ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବା ପରେ ଏସବିବି ଫାଇନାନସିଆଲ୍ ଗ୍ରୁପ୍‌ର ସେୟାର ୭୦ ପ୍ରତିଶତ ହ୍ରାସ ପାଇଛି। ଏହାଛଡ଼ା ଭାରତ ସମେତ ବିଶ୍ବର ଅନ୍ୟ ପ୍ରମୁଖ ବଜାର ମଧ୍ୟ ପ୍ରଭାବିତ ହୋଇଛି |

Exit mobile version