Site icon ଆଜିକାଲି

ସିସୋଦିଆଙ୍କୁ ୭ ଦିନ ଇଡି ହାଜତ, ସିବିଆଇ ମାମଲାରେ ଜାମିନ ଆବେଦନ ଶୁଣାଣି ମାର୍ଚ୍ଚ ୨୧କୁ ଘୁଞ୍ଚିଲା

ନୂଆଦିଲ୍ଲୀ: ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଦିଆଙ୍କୁ ୭ ଦିନ ପାଇଁ ଇଡି ହାଜତକୁ ପଠାଇଛନ୍ତି। ଇଡି ସିସୋଦିଆଙ୍କ ୧୦ ଦିନ ରିମାଣ୍ଡ ମାଗିଥିଲା, ଯାହାକୁ ତାଙ୍କ ଓକିଲ ବିରୋଧ କରିଥିଲେ। ତେବେ ସିବିଆଇ ମାମଲାରେ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣିକୁ କୋର୍ଟ ମାର୍ଚ୍ଚ ୨୧କୁ ଘୁଞ୍ଚାଇଛନ୍ତି ।

ଦିଲ୍ଲୀ ଅବକାରୀ ନୀତି ପଛରେ ଏକ ଷଡଯନ୍ତ୍ର ରହିଥିବା କୋର୍ଟଙ୍କୁ କହିଥିଲା ଇଡି। ଏହି ମାମଲାର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ତାଙ୍କ ଫୋନକୁ ସିସୋଦିଆ ନଷ୍ଟ କରିଦେଇଛନ୍ତି ବୋଲି କେନ୍ଦ୍ରୀୟ ସଂସ୍ଥା ଦାବି କରିଥିଲା । ଇଡି ଅଭିଯୋଗ କହିଥିଲା ଯେ ସିସୋଦିଆ ଏହି ‘ଘୋଟାଲା’ ବିଷୟରେ ମିଛ ବୟାନ ଦେଇଛନ୍ତି। ଆମେ ଅଭିଯୁକ୍ତଙ୍କ କାର୍ଯ୍ୟ ଶୈଳୀ ବିଷୟରେ ଜାଣିବାକୁ ଚାହୁଁଛୁ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ସିସୋଦିଆଙ୍କ ସହିତ ମୁହାଁମୁହିଁ କରିବାକୁ ଚାହୁଁଛୁ। ଅବକାରୀ ନୀତି ନେଇ ବିଆରଏସ ବିଧାୟିକା କବିତା ଏବଂ ସିସୋଦିଆଙ୍କ ମଧ୍ୟରେ ରାଜନୈତିକ ବୁଝାମଣା ହୋଇଥିଲା ବୋଲି ଇଡି ଦାବି କରିଥିଲା ।

କୋର୍ଟ ଶୁଣାଣି ବେଳେ ଇଡି କହିଥିଲା ଯେ ନୂଆ ମଦ ନୀତି ମାଧ୍ୟମରେ କିଛି ବଡ଼ ଲୋକଙ୍କୁ ଉପକୃତ କରାଯାଇଛି। ଏହି ନୀତି ମାଧ୍ୟମରେ ଦକ୍ଷିଣ ଭାରତର କମ୍ପାନୀଗୁଡିକ ମଧ୍ୟ ଉପକୃତ ହୋଇଥିଲେ। ଇଡି ଦାବି କରିଥିଲା ଯେ ମନୀଷ ସିସୋଦିଆ ଅନ୍ୟ ଲୋକଙ୍କ ନାମରେ ସିମ୍ କାର୍ଡ ଏବଂ ମୋବାଇଲ୍ ଫୋନ୍ କିଣିଥିଲେ ।

ମନୀଷ ସିସୋଦିଆଙ୍କ ଓକିଲ ଦୟାନ କୃଷ୍ଣନ, ମୋହିତ ମାଥୁର ଏବଂ ସିଦ୍ଧାର୍ଥ ଅଗ୍ରୱାଲ କୋର୍ଟଙ୍କୁ କହିଥିଲେ ଯେ ମଦ ନୀତି ଦିଲ୍ଲୀ ଉପରାଜ୍ୟପାଳଙ୍କ ଦ୍ୱାରା ଅନୁମୋଦନ ହୋଇଥିଲା । ଲୋକଙ୍କୁ ଗିରଫଦାରୀ ସେମାନଙ୍କ ଅଧିକାର ବୋଲି ଗ୍ରହଣ କରିବା କେନ୍ଦ୍ରୀୟ ସଂସ୍ଥାମାନଙ୍କ ପାଇଁ ଫ୍ୟାଶନରେ ପରିଣତ ହୋଇଗଲାଣି ବୋଲି ସିସୋଦିଆଙ୍କ ଓକିଲ ଯୁକ୍ତି କରିଥିଲେ ।

ଉଲ୍ଲେଖଯୋଗ୍ୟ, ଅବକାରୀ ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ସିସୋଦିଆଙ୍କୁ ଲଗାତାର ଦୁଇ ଦିନ ଜେରା କରିବା ପରେ ଇଡି ଗତକାଲି (ମାର୍ଚ୍ଚ ୯) ତାଙ୍କୁ ଗିରଫ କରିଥିଲା । ତା’ ପୂର୍ବରୁ ଫେବୃଆରୀ ୨୬ରେ ସିବିଆଇ ସିସୋଦିଆଙ୍କୁ ଗିରଫ କରିଥିଲା ।

Exit mobile version