Site icon ଆଜିକାଲି

ତିସ୍ତା ସେତଲବାଦଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା ଏସ୍‌ଆଇଟି

ଗାନ୍ଧୀନଗର : ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍(ଏସ୍‌ଆଇଟି) ସାମାଜିକ କର୍ମୀ ତିସ୍ତା ସେତଲବାଦଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି । ବୁଧବାର ଦିନ ତିସ୍ତାଙ୍କ ସମେତ ଅନ୍ୟ ଦୁଇ ଜଣଙ୍କ ବିରୁଦ୍ଧରେ ମଧ୍ୟ ଚାର୍ଜସିଟ୍ ଦାଖଲ ହୋଇଛି । ସେମାନେ ହେଲେ ଅବସରପ୍ରାପ୍ତ ପୋଲିସ ମହାନିର୍ଦ୍ଦେଶକ ଆରବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଫିସର ସଞ୍ଜୀବ ଭଟ୍ଟ । ଏହି ତିନି ଜଣ ଦଙ୍ଗା ମାମଲାରେ ଗୁଜୁରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫସାଇବାକୁ ଚେଷ୍ଟା କରିଥିବାର ଚାର୍ଜସିଟ୍‌ରେ ଉଲ୍ଲେଖ ହୋଇଛି ।

୨୦୦୨ ଦଙ୍ଗା ମାମଲାରେ ଏସ୍‌ଆଇଟି ଏହି ୩ ଜଣଙ୍କ ବିରୋଧରେ ୧୦୦ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରିଛି । ୩ ଜଣ ଅଭିଯୁକ୍ତ ଗୁଜୁରାଟ ଦଙ୍ଗା ମାମଲାରେ ମୋଦୀଙ୍କୁ ଫସାଇବାକୁ ସାଂଘାତିକ ଷଡଯନ୍ତ୍ର ରଚିଥିଲେ ଏବଂ ଏଥିପାଇଁ ଜାଲ ତଥ୍ୟ ଯୋଗାଡ କରିଥିବାର ଅଭିଯୋଗ ରହିଛି । ୨୦୦୨ ଗୁଜୁରାଟ ଦଙ୍ଗାରେ ନିର୍ଦ୍ଦୋଷ ଲୋକଙ୍କୁ ଫସାଇବା ଓ ସେମାନଙ୍କ ବିରୋଧରେ ମିଛ ପ୍ରମାଣ ଯୋଗାଡ଼ କରିବା ଅଭିଯୋଗରେ ତିସ୍ତାଙ୍କୁ ଜୁନ୍‌ ୨୫ରେ ଗୁଜରାଟ ଏଟିଏସ୍‌ ଟିମ ଗିରଫ କରିଥିଲା । ଗୁଜୁରାଟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ବିରୋଧରେ ଏହି ଅଭିଯୋଗ ରହିଥିବାବେଳେ ତାଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏବେ ବି ସେ ପୋଲିସ ହେପାଜତରେ ଅଛନ୍ତି । ହେଲେ ଗତ ସେପ୍ଟେମ୍ବର ୨ ତାରିଖରେ ସୁପ୍ରିମକୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ ।

Exit mobile version