Site icon ଆଜିକାଲି

ଶୀତଳ ଭଣ୍ଡାର ଛାତ ଭୁଶୁଡ଼ି ୬ ମୃତ

ସମ୍ଭଲ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଏକ ଘରୋଇ ଶୀତଳ ଭଣ୍ଡାରର ଛାତ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବଂଶଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି, “ଚନ୍ଦୌସି ଥାନା ଅନ୍ତର୍ଗତ ମଇ ଗାଁର ଇସଲାମ ନାଗର ରାସ୍ତାରେ ଥିବା ଏକ ଘରୋଇ ଶୀତଳ ଭଣ୍ଡାରର ଚାମ୍ବର ଛାତ ଗୁରୁବାର ହଠାତ୍ ଭୁଶୁଡି ପଡିଥିଲା। ଏହି ଘଟଣାରେ ଏପର୍ଯ୍ୟନ୍ତ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ଉଦ୍ୟମ ଚାଲିଛି। ”

ଚନ୍ଦୌସି ଏସପି ଚକ୍ରେଶ ମିଶ୍ରା କହିଛନ୍ତି ଯେ ଦୁର୍ଘଟଣାରେ ଆହତ ହୋଇଥିବା ୧୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବାବେଳେ ଆଉ କିଛି ଲୋକ ଏବେ ବି ଭଙ୍ଗା ଛାତ ତଳେ ଦବି ରହିଥିବା ଆଶଙ୍କା କରାଯାଉଛି । ଶୀତଳ ଭଣ୍ଡାରରେ ରିଲିଫ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଛି ବୋଲି ସେ କହିଛନ୍ତି।

ଡେପୁଟି ଇନ୍ସପେକ୍ଟର ଜେନେରାଲ ଶାଲାବ ମାଥୁର ଗଣମାଧ୍ୟମକୁ କହିଛନ୍ତି ଯେ ଶୀତଳ ଭଣ୍ଡାରର ମାଲିକ ଅଙ୍କୁର ଅଗ୍ରୱାଲ ଏବଂ ରୋହିତ ଅଗ୍ରୱାଲଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଘଟଣା ପରଠାରୁ ଅଙ୍କୁର ଏବଂ ରୋହିତ ଫେରାର ଅଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ ସ୍ପେଶାଲ ଅପରେସନ୍ ଗ୍ରୁପର ଏକ ଟିମ୍ ଗଠନ କରାଯାଇଛି।

ସେ କହିଛନ୍ତି, ଶୀତଳ ଭଣ୍ଡାରର ଯେଉଁ ଚାମ୍ବର ଛାତ ଭୁଶୁଡ଼ି ପଡ଼ିଥିଲା ତାହାର ନିର୍ମାଣ ତିନି ମାସ ତଳେ ହୋଇଥିଲା । କିନ୍ତୁ ଏଥିପାଇଁ ପ୍ରଶାସନଠାରୁ ଅନୁମତି ନିଆଯାଇ ନଥିଲା। ଏହାଛଡ଼ା ଏହି ଶୀତଳ ଭଣ୍ଡାରରେ ଆଳୁ କ୍ଷମତାଠାରୁ ଅଧିକ ପରିମାଣରେ ରଖାଯାଇଥିଲା। ”

Exit mobile version