Site icon ଆଜିକାଲି

ଦୁଇଟି ନୂଆ ପ୍ଲାନ୍ ଘୋଷଣା କଲା ଏକ୍ସ: ବେସିକ୍ ୨୪୪, ପ୍ରିମିୟମ୍ ପାଇଁ ୧୩୦୦ ଟଙ୍କା

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସ ଦୁଇଟି ନୂଆ ସବ୍‌ସ୍କ୍ରିପସନ୍ ପ୍ଲାନ୍ ଘୋଷଣା କରିଛି । ଏଥିରେ ଗୋଟିଏ ବିଜ୍ଞାପନ ମୁକ୍ତ ଅଟେ, କମ୍ପାନି ଏହାକୁ ପ୍ରିମିୟମ୍+ ନାଁ ଦେଇଛି । ପ୍ରିମିୟମ୍+ ପ୍ଲାନ୍ ପାଇଁ ୟୁଜର୍ସଙ୍କୁ ପ୍ରତି ମାସରେ ୧୩୦୦ ଟଙ୍କା ପୈଠ କରିବାକୁ ପଡ଼ିବ । ଅନ୍ୟଟି ହେଉଛି ବେସିକ୍ ପ୍ଲାନ୍ । ଏଥିପାଇଁ ୟୁଜର୍ସଙ୍କୁ ପ୍ରତି ମାସରେ ୨୪୩.୭୫ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

ବର୍ତ୍ତମାନ ଏହି ଦୁଇ ପ୍ଲାନ୍ କେବଳ ୱେବସାଇଟରେ ହିଁ ଉପଲବ୍ଧ ହେବ । ଏହାଛଡ଼ା ପୂର୍ବରୁ ଜାରି ଥିବା ପ୍ରିମିୟମ ସବ୍‌ସ୍କ୍ରିପସନ୍ ପ୍ଲାନ୍‌କୁ ୬୫୦ ଟଙ୍କା ଦେଇ ୟୁଜର୍ସ କିଣିପାରିବେ । ପ୍ରିମିୟମ୍ ଓ ପ୍ରିମିୟମ୍+ ପ୍ଲାନ୍‌ରେ ୟୁଜର୍ସଙ୍କ ଆକାଉଣ୍ଟକୁ ଚେକ୍‌ମାର୍କ ମିଳିବ । ତେବେ ବେସିକ୍ ପ୍ଲାନରେ ଚେକ୍‌ମାର୍କ ମିଳିବ ନାହିଁ, କିନ୍ତୁ ପ୍ଲାଟ୍‌ଫର୍ମର ଅନେକ ଫିଚର୍ ଲାଭ ଉଠାଇ ପାରିବେ ।

ଏକ୍ସରେ କେବଳ ପ୍ରିମିୟମ୍+ ୟୁଜର୍ସଙ୍କୁ ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ । ପ୍ରିମିୟମ୍ ପ୍ଲାନ୍ ୟୁଜର୍ସଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ । ଅନ୍ୟପଟେ, ବେସିକ୍ ପ୍ଲାନ୍ ଥିବା ୟୁଜର୍ସଙ୍କ ଟାଇମ୍‌ଲାଇନ୍‌ରେ ବିଜ୍ଞାପନ ଉପରେ କୌଣସି କଟକଣା ରହିବ ନାହିଁ । ୮ ଦିନ ପୂର୍ବେ ଅକ୍ଟୋବର ୨୦ରେ ଏଲନ ମସ୍କ ଦୁଇ ନୂଆ ପ୍ଲାନ୍ ବାବଦରେ ଘୋଷଣା କରିଥିଲେ । ସେ ପୋଷ୍ଟ କରି ଲେଖିଥିଲେ, ‘ଗୋଟିଏ ପ୍ଲାନର ମୂଲ୍ୟ ବର୍ତ୍ତମାନ ପ୍ରିମିୟମଠାରୁ କମ ରହିବ, କିନ୍ତୁ ଏଥିରେ ୟୁଜର୍ସଙ୍କୁ ବିଜ୍ଞାପନ ଦେଖିବାକୁ ପଡ଼ିବ। ଅନ୍ୟଟି ପ୍ରିମିୟମଠାରୁ ମହଙ୍ଗା ରହିବ ଓ ଏଥିରେ ବିଜ୍ଞାପନ ରହିବ ନାହିଁ’।

କମ୍ପାନି ନିକଟରେ ବର୍ତ୍ତମାନ ସମୟରେ ୫୫ କୋଟି ୟୁଜର୍ସ ଅଛନ୍ତି । ପ୍ରତିଦିନ ଏମାନେ ୧ରୁ ୨ କୋଟି ପୋଷ୍ଟ କରୁଛନ୍ତି । ଏଲନ୍ ମସ୍କ ଗତ ବର୍ଷ ଅକ୍ଟୋବର ୨୭ରେ ୪୪ ବିଲିୟନ ଡଲାର (ପ୍ରାୟ ୩.୬୪ ଲକ୍ଷ କୋଟି)ରେ ଟ୍ୱିଟରକୁ କିଣିଥିଲେ ।

Exit mobile version