Site icon ଆଜିକାଲି

କୋର୍ଟରେ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା

ନୂଆଦିଲ୍ଲୀ : ଚଣ୍ଡୀଗଡ଼ ଜିଲା କୋର୍ଟରେ ଶନିବାର ଘଟିଛି ଅଭାବନୀୟ ଘଟଣା । ଏକ ଘରୋଇ ବିବାଦର ସମାଧାନ ସମୟରେ ଜଣେ ନିଲମ୍ବିତ ଏଆଇଜି ତାଙ୍କ ଆଇଆରଏସ(ଭାରତୀୟ ରାଜସ୍ଵ ସେବା) ଅଧିକାରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଏବେ ଆଲୋଡ଼ନ ସୃଷ୍ଟି କରିଛି।

ଦୁଇ ପରିବାର ମଧ୍ୟରେ କୌଣସି କାରଣକୁ ନେଇ ବିବାଦ ଲାଗି ରହିଥିଲା। ଏହାର ସମାଧାନ ଲାଗି ଦୁଇ ପରିବାର ଚଣ୍ଡୀଗଡ଼ର ପରିବାର ଅଦାଲତକୁ ଆସିଥିଲେ। ଆଲୋଚନା ଚାଲିଥିବା ବେଳେ ଅଭିଯୁକ୍ତ ନିଲମ୍ବିତ ଏଆଇଜି ମଳବିନ୍ଦର ସିଂହ ସିଦ୍ଧୁ ବାଥରୁମ ଯିବାକୁ କହିଥିଲେ। ଏହା ପରେ ତାଙ୍କ ଜ୍ବାଇଁ ତାଙ୍କୁ ବାଥରୁମ ଯିବାକୁ ରାସ୍ତା ଦେଖାଇଦେବା ଲାଗି କହି ବାହାରକୁ ଆସିଥିଲେ। ଦୁଇ ଜଣ ଯାକ ବାହାରକୁ ଆସିବା ପରେ ମଲବିନ୍ଦର ନିଜ ବନ୍ଧୁକରୁ ତାଙ୍କ ଜ୍ବାଇଁଙ୍କୁ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ସେଥିରୁ ୨ଟି ଗୁଳି ଜ୍ବାଇଁଙ୍କ ଦେହରେ ବାଜିଥିଲା। ଗୁଳି ଶବ୍ଦ ଶୁଣି କୋର୍ଟରେ ଭୟର ବାତାବରଣ ଖେଳି ଯାଇଥିଲା। ସେଠାରେ ଉପସ୍ଥିତ କିଛି ଓକିଲ ଅଭିଯୁକ୍ତ ମଲବିନ୍ଦରଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ। ଗୁଳିମାଡ଼ରେ ଆହତ ଜ୍ବାଇଁଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଘଟଣାର ତଦନ୍ତ ଚଳାଇଛି।

Exit mobile version