Site icon ଆଜିକାଲି

ବାଂଲାଦେଶକୁ ୧୦୪ ରନରେ ହରାଇଲା ଦକ୍ଷିଣ ଆଫ୍ରିକା


ସିଡନୀ: ରାଇଲି ରୁସୋଙ୍କ ବିସ୍ଫୋରକ ଶତକ ବଳରେ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପର ଏଠାରେ ଗୁରୁବାର ଅନୁଷ୍ଠିତ ଏକ ଗ୍ରୁପ୍ -୨ ସୁପର ୧୨ ମ୍ୟାଚରେ ବାଂଲାଦେଶକୁ ୧୦୪ ରନର ବଡ଼ ବ୍ୟବଧାନରେ ହରାଇଛି | ଦକ୍ଷିଣ ଆଫ୍ରିକା ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୨୦୫ ରନର ବିଶାଳ ସ୍କୋର କରିଥିଲା । ଦଳ ପକ୍ଷରୁ ରୁସୋ ମାତ୍ର ୫୬ ବଲରେ ୭ଟି ଚୌକା ଓ ୭ ବିଶାଳ ଛକା ସହାୟତାରେ ୧୦୯ ରନ୍ କରିଥିଲେ । ଚଳିତ ବିଶ୍ବକପରେ ଶତକ ହାସଲ କରିବାରେ ରୁସୋ ପ୍ରଥମ ବ୍ୟାଟ୍ସମ୍ୟାନ୍ ।

୨୦୬ ରନର ବୃହତ ବିଜୟଲକ୍ଷ୍ୟ ଜବାବରେ ବାଂଲାଦେଶ ୧୬.୩ ଓଭରରେ ମାତ୍ର ୧୦୧ ରନରେ ଅଲ୍ଆଉଟ୍ ହୋଇଯାଇଥିଲା । ବାଂଲାଦେଶ ପକ୍ଷରୁ ଲିଟନ ଦାସ ସର୍ବାଧିକ ୩୪ ରନ୍ କରିଥିବା ବେଳେ ଅନ୍ୟ କେହି ୨୦ ରନ୍ ଟପି ପାରିନଥିଲେ । ଦକ୍ଷିଣ ଆଫ୍ରିକା ତରଫରୁ ଦ୍ରୁତ ବୋଲର ଆନରିଚ୍ ନର୍ଜେ ୪ଟି ଓ ସ୍ପିନର ତାବ୍ରେଜ ଶାମସି ୩ଟି ଓ୍ବିକେଟ୍ ନେଇଥିଲେ । ବିସ୍ଫୋରକ ଶତକ ପାଇଁ ରୁସୋ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ ।

ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ବିଜୟ । ଜିମ୍ବାୱେ ବିପକ୍ଷ ଦଳର ପ୍ରଥମ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା। ଅନ୍ୟପକ୍ଷରେ ବାଂଲାଦେଶ ପ୍ରଥମ ମ୍ୟାଚରେ ନେଦରଲାଣ୍ଡ୍ସକୁ ହରାଇଥିଲା ।

ପୂର୍ବରୁ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ଶୀଘ୍ର ଅଧିନାୟକ ତେମ୍ବା ବଭୁମା (୨)ଙ୍କ ଓ୍ବିକେଟ୍ ହରାଇଥିଲା । ହେଲେ ଏହା ପରେ କ୍ୱିଣ୍ଟନ୍ ଡି କକ୍ ଏବଂ ରୁସୋ ଛକା-ଚୌକା ବର୍ଷା କରି ବାଂଲାଦେଶର ହୋସ୍ ଉଡ଼ଇ ଦେଇଥିଲେ । ଉଭୟ ଦ୍ବିତୀୟ ଓ୍ବିକେଟ୍ ପାଇଁ ୧୬୮ ରନ୍ ଭାଗିଦାରୀ କରିଥିଲେ, ଯାହା ବିଶ୍ବକପରେ ଯେକୌଣସି ଦଳ ପାଇଁ ଏକ ରେକର୍ଡ | ଡି କକ୍ ୬୩ ରନ୍ ରୁସୋ ମାତ୍ର ୫୨ ବଲରେ ନିଜ ଶତକ ପୂରଣ କରିଥିଲେ । ଏହା ତାଙ୍କ କ୍ୟାରିୟରର ଦ୍ବିତୀୟ ଶତକ । ଅନ୍ୟମାନଙ୍କ ମଧ୍ୟରେ ଆଡେନ ମାର୍କ୍ରାମ ୧୦, ଟ୍ରିଷ୍ଟାନ୍ ଷ୍ଟବ୍ସ ୭ ରନ୍ କରି ଆଉଟ୍ ହୋଇଥିଲେ । ଡେଭିଡ ମିଲର ୨ ଓ ୱେନ ପାର୍ନେଲ କୌଣସି ରନ୍ ନ କରି ଅପରାଜିତ ରହିଥିଲେ । ବାଂଲାଦେଶ ପକ୍ଷରୁ ଶାକିବ ଅଲ ହାସନ ୨ଟି ୱିକେଟ୍ ନେଇଥିବାବେଳେ ଆଫିଫ ହୁସେନ୍ ଏବଂ ତସ୍କିନ୍ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

Exit mobile version