Site icon ଆଜିକାଲି

ନେଦରଲାଣ୍ଡସଠୁ ହାରିଲା ଦକ୍ଷିଣ ଆଫ୍ରିକା, ସେମିରେ ପହଞ୍ଚିଲା ଟିମ୍ ଇଣ୍ଡିଆ

ଆଡିଲେଡ : ଟି-୨୦ ବିଶ୍ୱକପରେ ବଡ ବିପର୍ଯ୍ୟୟ । ନେଦରଲାଣ୍ଡସରୁ ହାରି ଦକ୍ଷିଣ ଆଫ୍ରିକା ସେମିଫାଇନାଲ ଖେଳିବାରୁ ବଞ୍ଚିତ ହୋଇଛି । ଫଳରେ ଶେଷ ମ୍ୟାଚ୍ ଖେଳିବା ପୂର୍ବରୁ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକାର ପରାଜୟ ପରେ ପଏଣ୍ଟ ଟେବୁଲରେ ଭାରତର ୬ ଅଙ୍କ ପାଇ ସେମିଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଛି। ଅନ୍ୟପଟେ ଆଜି ଭାରତ ସୁପର ୧୨ର ଶେଷ ମୁକାବିଲା ଆଜି ଜିମ୍ବାୱେ ବିପକ୍ଷରେ ଖେଳିବ।

ଆଡିଲେଡରେ ଆଜି ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ନେଦରଲାଣ୍ଡସଠାରୁ ୧୩ ରନରେ ପରାସ୍ତ ହୋଇଥିଲା । ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା । ନେଦରଲାଣ୍ଡସ ନିର୍ଦ୍ଧାରିତ ଓଭରରେ ୧୫୮ ରନ୍ କରିବା ସହ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୫୯ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଦକ୍ଷିଣ ଆଫ୍ରିକା ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିବ ବୋଲି ଅନୁମାନ କରାଯାଉଥିଲା । କିନ୍ତୁ ନେଦରଲାଣ୍ଡସର ଶାଣିତ ବୋଲିଂ ଆଗରେ ମାତ୍ର ୧୪୫ ରନ୍ କରିବାକୁ ସକ୍ଷମ ହୋଇଥିଲା ଦକ୍ଷିଣ ଆଫ୍ରିକା ।

ଦକ୍ଷିଣ ଆଫ୍ରିକା ହାରିବା ପରେ ଟିମ୍ ଇଣ୍ଡିଆ ସିଧାସଳଖ ସେମିଫାଇନାଲରେ ପହଞ୍ଚିଛି । ପଏଣ୍ଟ ଟେବୁଲର ଶୀର୍ଷରେ ଭାରତ ରହିଥିବା ବେଳେ ଶେଷ ମ୍ୟାଚ୍ ପୂର୍ବରୁ ସେମିଫାଇନାଲ ଟିକେଟ ହାତେଇଛି । ଅନ୍ୟପଟେ ପରାଜୟ ସହ ଦକ୍ଷିଣ ଆଫ୍ରିକା ବିଶ୍ୱକପ ସେମିଫାଇନାଲ ରେସରୁ ଏକପ୍ରକାର ବିଦା ହୋଇଛି । ଯଦି କୌଣସି କାରଣ ବଶତଃ ପାକିସ୍ତାନ-ବାଂଲାଦେଶ ମ୍ୟାଚ୍ ରଦ୍ଦ ହୁଏ ତେବେ ଦକ୍ଷିଣ ଆଫ୍ରିକା ସେମିଫାଇନାଲ ରେସରେ ସାମିଲ ହେବ । କିନ୍ତୁ ବାଂଲାଦେଶ-ପାକିସ୍ତାନ ମଧ୍ୟରୁ ଯେଉଁ ଦଳ ବିଜୟୀ ହେବ ସେହି ଦଳ ସେମିଫାଇନାଲ ଟିକେଟ ହାତେଇବ । ଯେହେତୁ ଭାରତ ସେମିଫାଇନାଲ ଟିକେଟ ହାତେଇ ସାରିଛି ତେଣୁ ଜିମ୍ବାୱେ ବିପକ୍ଷ ଶେଷ ମ୍ୟାଚରେ ବିନା ଚାପରେ ଖେଳିବ । ତେବେ ଶେଷ ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷରେ ରହିବାକୁ ଚାହିଁବ ଭାରତ।

Exit mobile version