Site icon ଆଜିକାଲି

ଭାରତକୁ ୨୭୯ ରନ ବିଜୟ ଲକ୍ଷ୍ୟ ଦେଲା ଦକ୍ଷିଣଆଫ୍ରିକା

ରାଞ୍ଚି: ଭାରତ ଓ ଦକ୍ଷିଣଆଫ୍ରିକା ମଧ୍ୟରେ ରାଞ୍ଚିରେ ଖେଳାଯାଉଛି ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ । ପ୍ରଥମେ ବ୍ୟାଟିଂ କରି ଭ୍ରମଣକାରୀ ଦଳ ଦକ୍ଷିଣଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ୨୭୮ ରନ କରିଛି। ସିରିଜ୍‌ରେ ପ୍ରତ୍ୟାବର୍ତ୍ତନ ପାଇଁ ଭାରତ ସାମ୍ନାରେ ୨୭୯ ରନର ବିଜୟ ଲକ୍ଷ୍ୟ ରହିଛି। ଯଦି ଭାରତ ଆଜିର ମ୍ୟାଚ୍ ହାରେ ତେବେ ଦଳ ନାମରେ ସର୍ବାଧିକ ଦିନିକିଆ ମ୍ୟାଚ୍ ହାରିବାର ଅଲୋଡା ରେକର୍ଡ ହୋଇଯିବ।

ମୁକାବିଲାରେ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମାତ୍ର ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ନଥିଲା। ୭ ରନ ସ୍କୋରରେ କ୍ଵିଣ୍ଟନ ଡିକକ୍‌(୫)ଙ୍କୁ ବୋଲ୍ଡ କରି ମହମ୍ମଦ ସିରାଜ ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଜାନେମନ ମଲାନ ଭଲ ବ୍ୟାଟିଂ କରିଥିଲେ ହେଁ ବ୍ୟକ୍ତିଗତ ୨୫ ରନ କରି ପାଭିଲିୟନ ଫେରିଥିଲେ। ଏହା ପରେ ରିଜା ହେଣ୍ଡରିକ୍ସ ଏବଂ ଆଡନ ମାରକ୍ରମ ଭଲ ବ୍ୟାଟିଂ କରି ଦଳର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ହେଣ୍ଡରିକ୍ସ ଏବଂ ମାରକ୍ରମ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଦୁଇ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟ୍‌ରେ ୧୨୯ ରନ ଯୋଡିଥିଲେ। ହେଣ୍ଡରିକ୍ସକୁ ଆଉଟ୍ କରି ସିରାଜ ଏହି ଯୋଡି ଭାଙ୍ଗିଥିଲେ। ସେ ୭୬ ବଲ୍‌ରୁ ୯ ଚୌକା ଏବଂ ୧ ଛକା ସହ ୭୪ ରନ କରିଥିଲେ। ପୁଣି ମାରକ୍ରମ ଏବଂ ହେନରିଚ କ୍ଲାସେନ ଚତୁର୍ଥ ଓ୍ଵିକେଟ୍‌ରେ ୪୬ ରନ ଯୋଡି ଦଳର ସ୍କୋରକୁ ୨୧୫ରେ ପହଞ୍ଚାଇଥିଲେ। କ୍ଲାସେନ ଦ୍ରୁତ ବ୍ୟାଟିଂ କରି ୨୬ ବଲ୍‌ରୁ ୩୦ ରନ କରି ଆଉଟ୍ ହୋଇଥିଲେ। ଏହି ସ୍କୋରରେ ମାରକ୍ରମ ମଧ୍ୟ ପାଭିଲିୟନ ଫେରିଥିଲେ। ସେ ୭ ଚୌକା ଏବଂ ୧ ଛକା ସହାୟତାରେ ୭୯ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ଓ୍ଵେନ ପାର୍ଣ୍ଣେଲ ୧୬ ରନ କରିଥିଲେ। ଶେଷ ଆଡକୁ ଡେଭିଡ୍ ମିଲର ୩୫ ରନ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୭ ଓ୍ଵିକେଟ୍ ହରାଇ ୨୭୮ ରନ କରିଛନ୍ତି। ଭାରତ ପକ୍ଷରୁ ସଫଳ ବୋଲର ଭାବେ ମହମ୍ମଦ ସିରାଜ ୧୦ ଓଭରରେ ୩୮ ରନ ଦେଇ ୩ ଓ୍ଵିକେଟ୍ ନେଇଥିବା ବେଳେ ଶାହବାଜ ଅହମ୍ମଦ ୫୪ ରନ ଦେଇ ୧, ଓ୍ଵାଶିଂଟନ ସୁନ୍ଦର ୬୦ ରନ ଦେଇ ୧, କୁଲଦୀପ ଯାଦବ ୪୯ ରନ ଦେଇ ୧ ଏବଂ ଶାର୍ଦ୍ଦୁଳ ଠାକୁର ୩୬ ରନ ଦେଇ ୧ ଓ୍ଵିକେଟ୍ ନେଇଛନ୍ତି।

Exit mobile version