Site icon ଆଜିକାଲି

ସାଉଥ ଭେଟେରାନ ଆକ୍ଟର ଉପାଲାପତି କ୍ରିଷ୍ଣମ୍ ରାଜୁଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଉ ନାହାଁନ୍ତି ସାଉଥ ଭେଟେରାନ ଆକ୍ଟର ଉପାଲାପତି କ୍ରିଷ୍ଣମ୍ ରାଜୁ। ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ରବିବାର ସକାଳେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାଇଦ୍ରାବାଦର ଏକ ହସପିଟାଲରେ ଚିକିତ୍ସାଧିନ ଅବସ୍ଥାରେ କ୍ରିଷ୍ଣମ୍ ରାଜୁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ କଳା ଜଗତରେ ଶୋକର ଛାୟା ଖେଳି ଯାଇଛି। ଲୋକପ୍ରିୟ ଅଭିନେତା କ୍ରିଷ୍ଣମ୍ ରାଜୁ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। କ୍ରିଷ୍ଣମ୍ ରାଜୁଙ୍କୁ ଟଲିଉଡର ରିବେଲ ଷ୍ଟାର ମଧ୍ୟ କୁହାଯାଏ।

କ୍ରିଷ୍ଣମ୍ ରାଜୁ ଆନ୍ଧ୍ର ପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରେ ୨୦ ଜାନୁଆରୀ ୧୯୪୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ପରିବାର କହିଲେ ସ୍ତ୍ରୀ ଓ ତାଙ୍କର ତିନୋଟି ସନ୍ତାନ ରହିଛନ୍ତି। ତା ଛଡ଼ା ବାହୁବଳି ଷ୍ଟାର ପ୍ରଭାସଙ୍କ ଦାଦା ହେଉଛନ୍ତି କ୍ରିଷ୍ଣମ ରାଜୁ। ପ୍ରାୟ ୫ ଦଶନ୍ଧୀ ଧରି ତେଲଗୁ ସିନେମାରେ କାମ କରିଥିବା କ୍ରିଷ୍ଣମ ରାଜୁ ୧୮୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ତାଙ୍କୁ ଟଲିଉଡ୍‌ର ରିବେଲ ଷ୍ଟାର ବୋଲି କୁହାଯାଏ। ରିବେଲ ଷ୍ଟାର କ୍ରିଷ୍ଣମ ରାଜୁ ସାମାଜିକ, ଫ୍ୟାମିଲ, ରୋମାଣ୍ଟିକ, ଥ୍ରିଲର, ଐତିହାସିକ ଓ ପୌରାଣିକ ଆଦି ସିନେମାରେ ଅଭିନୟ କରିଛନ୍ତି। ସେ ୧୯୬୬ରେ ଚିଲାକା ଗୋରିଙ୍କା ମୁଭିରେ ଡେବ୍ୟୁ କରିଥିଲେ। ଅମର ଦୀପମ, ସୀତା ରମୁଲୁ, କଟକାଟାଲ ରୁଦ୍ରାୟ ଆଦି ଫିଲ୍ମ କ୍ରିଷ୍ଣମ ରାଜୁଙ୍କର ସଫଳ ଫିଲ୍ମ ବୋଲି କୁହାଯାଏ।

ଦମଦାର ଅଭିନୟ ପାଇଁ ଆନ୍ଧ୍ର ପ୍ରଦେଶ ସରକାର କ୍ରିଷ୍ଣମ ରାଜୁଙ୍କୁ ନନ୍ଦି ଆଓ୍ବାର୍ଡରେ ସମ୍ମାନୀତ କରିଥିଲେ। ତନ୍ଦ୍ରା ପାପାରାୟାଦୁ ମୁଭି ପାଇଁ ସେ ଫିଲ୍ମ ଫେୟାର ଆଓ୍ବାର୍ଡରେ ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ। କ୍ରିଷ୍ଣମ ରାଜୁଙ୍କ ୧୯୮୬ରେ ମୁକ୍ତିଲାଭ କରିଥିବା ମୁଭି ହେଉଛି ପାପାରାୟାଦୁ। ପରେ ୨୦୦୬ରେ ସାଉଥ ଫିଲ୍ମ ଫେୟାର ରିବେଲ ଷ୍ଟାରଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନୀତ କରିଥିଲା। ନେଗେଟିଭ ରୋଲ ପାଇଁ କ୍ରିଷ୍ଣମ ରାଜୁ ଅଧିକ ଲୋକପ୍ରିୟତା ହାସଲ କରିଥିଲେ।

Exit mobile version