Site icon ଆଜିକାଲି

ବ୍ରିଜ୍‌ ଉପରେ ଭୟଙ୍କର ଦୁର୍ଘଟଣା : ୫ ଗାଡ଼ିକୁ ଧକ୍କା ଦେଲା ଦ୍ରୁତଗାମୀ ମର୍ସିଡିଜ୍‌, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଗୋଆରେ ପୋଣ୍ଡା ତହସିଲ ଅନ୍ତର୍ଗତ ବନସ୍ତରୀ ବ୍ରିଜ୍‌ ଉପରେ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି। ପଣଜୀ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ମର୍ସିଡିଜ୍‌ ୩ କାର୍‌ ଏବଂ ୨ ବାଇକ୍‌କୁ ଜୋର୍‌ଦାର ଧକ୍କା ଦେଇଛି। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ଏଥିରେ ଅନ୍ୟ ୬ ଜଣ ଗୁରୁତର ଆହତ ହୋଇଛନ୍ତି।

ପ୍ରତ୍ୟକ୍ଷଦର୍ଶୀଙ୍କ ମୁତାବକ, ଦୁର୍ଘଟଣା ପରେ ମର୍ସିଡିଜ୍‌ ଡ୍ରାଇଭର ଏବଂ ଏଥିରେ ଥିବା ଅନ୍ୟ ଲୋକମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। କିନ୍ତୁ ପରେ ସେମାନଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି। ଆହତ ଲୋକମାନଙ୍କୁ ଗୋଆ ମେଡିକାଲ୍‌ କଲେଜରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ମୃତକଙ୍କ ମଧ୍ୟରେ ଜଣେ ପଥଚାରୀ ମଧ୍ୟ ଅଛନ୍ତି। ଏହି ଦୁର୍ଘଟଣାରେ ୨ ବାଇକ୍‌ ସହ ଅନ୍ୟ ଗାଡ଼ିଗୁଡ଼ିକ ଭାଙ୍ଗି ଚୁର୍‌ମାର ହୋଇଯାଇଛି।

ସ୍ଥାନୀୟ ଥାନା ପୋଲିସ କହିଛି ଯେ ପଣଜୀ ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ମର୍ସିଡିଜ୍‌ ଗାଡ଼ିଗୁଡ଼ିକୁ ଧକ୍କା ଦେବା ପରେ ଭୁଲ୍‌ ପାର୍ଶ୍ୱକୁ ମାଡ଼ି ଯାଇଥିଲା। ମର୍ସିଡିଜ୍‌ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଥିଲେ କି ନାହିଁ, ପୋଲିସ ତାହାର ତଦନ୍ତ କରୁଛି।

Exit mobile version