Site icon ଆଜିକାଲି

ଦିନିକିଆ କ୍ରିକେଟ୍ ବିଶ୍ବକପ୍, ଆଜି ଶ୍ରୀଲଙ୍କା-ପାକ୍ ଓ ଇଂଲଣ୍ଡ-ବାଂଲାଦେଶ ମୁକାବିଲା

LONDON, ENGLAND - JULY 14: General view of the Cricket World Cup Trophy during the Final of the ICC Cricket World Cup 2019 between New Zealand and England at Lord's Cricket Ground on July 14, 2019 in London, England. (Photo by Gareth Copley-ICC/ICC via Getty Images)

ଧର୍ମଶାଳା : ଦିନିକିଆ କିକ୍ରେଟ୍ ବିଶ୍ବକପ୍ ବିଶ୍ବଯୁଦ୍ଧ ଜାରି । ଟାଇଟାଲ୍ ପାଇଁ ଜାରି ରହିଛି ଲିଗ୍ ପର୍ଯ୍ୟାୟ ଲଢ଼େଇ । ତେବେ ମଙ୍ଗଳବାର ବିଶ୍ବକପରେ ଖେଳାଯିବ ସପ୍ତମ ଏବଂ ଅଷ୍ଟମ ମ୍ୟାଚ୍ । ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡକୁ ଭେଟିବ ବେଙ୍ଗଲ ଟାଇଗର ବାଂଲାଦେଶ । ସେହିପରି ଦ୍ବିତୀୟ ମ୍ୟାଚ୍ ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ହାଇଦ୍ରାବାଦରେ ଖେଳାଯିବ ।

ପ୍ରଥମ ମ୍ୟାଚ୍ ଇଂଲଣ୍ଡ ଓ ବାଂଲାଦେଶ ମଧ୍ୟରେ ସାଢେ ୧୦ଟାରେ ହିମାଚଳପ୍ରଦେଶର ଧର୍ମଶାଳାରେ ଖେଳାଯିବ । ପ୍ରଥମ ମ୍ୟାଚରେ ବ୍ରିଟିଶ୍ ବାହିନୀ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଛି । ତେଣୁ ଆଜିର ମ୍ୟାଚରୁ ବିଜୟ ଖାତା ଖୋଲିବାକୁ ଆଶା ରଖିଛି ଦଳ । ମାତ୍ର ବାଂଲାଦେଶ ପୂର୍ବ ଭଳି କଡ଼ା ଟକ୍କର ଦେବାକୁ ଅପେକ୍ଷା କରିଛି । ପୂର୍ବରୁ ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡକୁ ହରାଇ ସାରିଥିବା ବାଂଲାଦେଶ ଆଜି ଧର୍ମଶାଳାରେ ଦମ୍‌ ଦେଖାଇବାକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଇଂଲଣ୍ଡ ଡିଫେଣ୍ଡିଂ ଚାମ୍ପିଅନ୍‌ ହୋଇଥିଲେ ହେଁ ବାଂଲାଦେଶ କଡ଼ା ଟକ୍କର ଦେବାର କ୍ଷମତା ରଖିଛି ।

ଗତ ୪ଟି ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ଭେଟିଛନ୍ତି ଓ ୨ଟି ଲେଖାଏଁ ମ୍ୟାଚ୍‌ ଜିତିଛନ୍ତି । ଇଂଲଣ୍ଡ ୨୦୦୭ ଓ ୨୦୧୯ ବିଶ୍ୱକପ୍‌ରେ ବିଜୟ ହାସଲ କରିଥିଲା । ବାଂଲାଦେଶ ୨୦୧୧ ଓ ୨୦୧୫ ବିଶ୍ୱକପ୍‌ରେ ବିଜୟୀ ହୋଇଥିଲା । ଦିନିକିଆରେ ଉଭୟ ଦଳ ପରସ୍ପରକୁ ୨୪ଥର ସାମ୍ନା କରିଛନ୍ତି । ଏଥିରୁ ଇଂଲଣ୍ଡ ୧୯ଟି ଓ ବାଂଲାଦେଶ ୫ଟି ମ୍ୟାଚ୍‌ ଜିତିଛନ୍ତି । ବାଂଲାଦେଶ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବା ଆଶା କରାଯାଇପାରେ । ଭେଟେରାନ ମହମୁଦୁଲ୍ଲାଙ୍କ ସ୍ଥାନରେ ମେହଦି ହାସାନ ଖେଳିପାରନ୍ତି । ୨୦୧୫ ବିଶ୍ୱକପ୍‌ରେ ଇଂଲଣ୍ଡକୁ ହରାଇବାରେ ମହମୁଦୁଲ୍ଲାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଥିଲା ।

ସେପଟେ ଆଜି ଦ୍ବିତୀୟ ମ୍ୟାଚ୍ ବା ବିଶ୍ବକପର ଅଷ୍ଟମ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯିବ । ଗତ ଏସିଆ କପ୍ ପରାଜୟକୁ ଭୁଲି ନଥିବା ପାକିସ୍ତାନ ଆଜିର ମ୍ୟାଚରେ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଅନ୍ୟପଟରେ ଦକ୍ଷିଣ ଆଫ୍ରିକା ବିପକ୍ଷ ପରାଜୟ ପରେ ଶ୍ରୀଲଙ୍କା ପୁଣିଥରେ ଏକତ୍ରିତ ହୋଇ ଦଳଗତ ପ୍ରଦର୍ଶନ ସହ ବିଜୟ ଖାତା ଖୋଲିବାକୁ ପ୍ରସ୍ତୁତ । ବିଶ୍ୱକପ୍‌ରେ ଉଭୟ ଦଳ ପରସ୍ପରକୁ ୭ଥର ଭେଟିଛନ୍ତି । ପାକିସ୍ତାନ ସମସ୍ତ ମ୍ୟାଚ୍‌ ଜିତିଛି । ୨୦୧୯ ବିଶ୍ୱକପ୍‌ରେ ଉଭୟ ଦଳ ମଧ୍ୟରେ ହେବାକୁ ଥିବା ମ୍ୟାଚ୍‌ ବର୍ଷା ଧୋଇ ନେଇଥିଲା ।

ଶ୍ରୀଲଙ୍କା ହାଇଦ୍ରାବାଦରେ ପରାଜୟଧାରା ଭଙ୍ଗ କରିବାକୁ ପ୍ରୟାସ କରିବ । ହାଇଦ୍ରାବାଦ ଜଳବାୟୁ ଶ୍ରୀଲଙ୍କା ଦଳକୁ ସୁହାଇବ । ମାତ୍ର ଏଠାରେ ପାକିସ୍ତାନର ସମର୍ଥକଙ୍କ ସଂଖ୍ୟା ଢେର ଅଧିକ । ପାକିସ୍ତାନ ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍‌ସକୁ ହରାଇଥିଲେ ହେଁ ଶ୍ରେଷ୍ଠ ପ୍ରଦର୍ଶନ ଦେବାରେ ବିଫଳ ହୋଇଥିଲା । ବର୍ତ୍ତମାନ ଓପନରମାନଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ ସାଜିଥିଲେ ହେଁ ମଧ୍ୟକ୍ରମରେ ସ୍ଥିରତା କିଛି ମାତ୍ରାରେ ଉତ୍ସାହିତ କରିଛି । ହ୍ୟାରିସ ରୌଫ ଫର୍ମ ଫେରି ପାଇବା ଦଳ ପାଇଁ ଶୁଭ ସଂକେତ । ମ୍ୟାଚ୍‌ ପରେ ପାକିସ୍ତାନ ସିଧା ଅହମ୍ମଦାବାଦ ଯାତ୍ରା କରିବ ଓ ଭାରତ ବିପକ୍ଷ ହାଇ ଭୋଲଟେଜ ମୁକାବିଲା ପାଇଁ ପ୍ରସ୍ତୁତ ହେବ ।

Exit mobile version