Site icon ଆଜିକାଲି

ଏସିଆ କପ୍‌-୨୦୨୨ର ଟାଇଟଲ୍ ହାତେଇଲା ଶ୍ରୀଲଙ୍କା

ଦୁବାଇ : ଏସିଆ କପ୍‌-୨୦୨୨ର ଟାଇଟଲ୍ ହାତେଇଲା ଶ୍ରୀଲଙ୍କା । ଚଳିତ ଟୁର୍ଣ୍ଣାମେଣ୍ଟରେ ଏକ ଲଜ୍ଜାଜନକ ପରାଜୟରୁ ଅଭିଯାନ ଆରମ୍ଭ କରିଥିବା ଶ୍ରୀଲଙ୍କା ପରବର୍ତ୍ତୀ ପର୍ଯ୍ୟାୟରେ ଚମତ୍କାର ଖେଳ ପ୍ରଦର୍ଶନ କରି ଫାଇନାଲ୍‌ରେ ପ୍ରବେଶ କରିଥିଲା । ଏପରିକି ଦଳ ସୁପର-୪ ରାଉଣ୍ଡ୍‌ରେ ସମସ୍ତ ମ୍ୟାଚ୍‌ ଜିତିଥିଲା । ଦଳରେ କେହି ଷ୍ଟାର୍‌ ଖେଳାଳି ନଥିଲେ ମଧ୍ୟ ଶ୍ରୀଲଙ୍କା ଯଥାକ୍ରମେ ଭାରତ, ପାକିସ୍ତାନ ଭଳି ଶକ୍ତିଶାଳୀ ଦଳକୁ ହରାଇ ବିପର୍ଯ୍ୟୟ ଘଟାଇଥିଲା । କେବଳ ଦଳଗତ ପ୍ରଦର୍ଶନ ଯୋଗୁଁ ଏଭଳି ବିଜୟ ସମ୍ଭବ ହୋଇଥିବା ବେଳେ ପାକିସ୍ତାନକୁ ହରାଇ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଚାମ୍ପିଅନ୍‌ ହୋଇଛି । ଅନ୍ୟପକ୍ଷରେ ଶେଷ ଥର ପାଇଁ ୨୦୧୨ରେ ଚାମ୍ପିଅନ୍‌ ହୋଇଥିବା ପାକିସ୍ତାନ ୧୦ ବର୍ଷର ଅପେକ୍ଷାରେ ପୂର୍ଣ୍ଣଛେଦ ପଡ଼ିଛି ।

ପୂର୍ବରୁ ପାକିସ୍ତାନ ଟସ୍ ଜିତି ଶ୍ରୀଲଙ୍କାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଶ୍ରୀଲଙ୍କାକୁ ପ୍ରଥମ ଓଭରରେ ହିଁ ଝଟକା ଲାଗିଥିଲା । ପାକିସ୍ତାନର ପେସ୍ ସେନସେସନ୍ ନସୀମ ଶାହା ପ୍ରଥମ ଓଭରରେ ହିଁ କୁଶଲ ମେଣ୍ଡିସ (୦)ଙ୍କୁ ଆଉଟ୍ କରି ଶ୍ରୀଲଙ୍କାକୁ ବଡ଼ ଝଟକା ଦେଇଥିଲେ । ଏହାପରେ ଇନ୍ ଫର୍ମ ଓପନର ପାଥୁମ ନିଶଙ୍କା (୮)ଙ୍କୁ ଆଉଟ୍ କରି ହାରିସ୍ ରାଉଫ୍ ପାକିସ୍ତାନକୁ ବଡ଼ ଆଶ୍ୱସ୍ତି ଦେଇଥିଲେ । ପୁଣି ରାଉଫ୍ ପରବର୍ତ୍ତୀ ଓଭରରେ ଦାନୁସ୍କା ଗୁଣତିଳକା(୧)ଙ୍କ ୱିକେଟ୍ ମଧ୍ୟ ନେଇଥିଲେ । ଧନଞ୍ଜଞ୍ଜ ଡି’ସିଲଭା ୨୧ ବଲରେ ଆକ୍ରମଣାତ୍ମକ ୨୮ ରନ୍ କରିବା ପରେ ଇଫତିକାର ଅହମ୍ମଦଙ୍କ ବଲରେ ଆଉଟ୍ ହୋଇଯିବା ପରେ ଶ୍ରୀଲଙ୍କା ବଡ଼ ସଙ୍କଟରେ ଫସିଥିଲା । ମାତ୍ର ୫୩ ରନ୍ ସ୍କୋରରେ ଶ୍ରୀଲଙ୍କା ୪ଟି ୱିକେଟ୍ ହରାଇ ଦେଇଥିଲା । ଏହାପରେ ଅଧିନାୟକ ଦାସୁନ ଶନକା କ୍ରିଜକୁ ଓହ୍ଲାଇଥିଲେ । କିନ୍ତୁ ପାକ୍ ସ୍ପିନର ଶଦାବ ଖାନଙ୍କ ବଲରେ ସେ କ୍ଲିନ୍ ବୋଲ୍ଡ ହୋଇଯାଇଥିଲେ।

ଶନକା ମାତ୍ର ୨ ରନ୍ କରି ପ୍ୟାଭିଲିୟନ୍ ଫେରିବା ପରେ ଶ୍ରୀଲଙ୍କାର ସ୍କୋର ୫୮ ରନରେ ୫ ୱିକେଟ୍ ହରାଇ ବ୍ୟାକଫୁଟକୁ ଠେଲି ହୋଇଯାଇଥିଲା । ଲାଗୁଥିଲା ଶ୍ରୀଲଙ୍କା ମାମୁଲି ସ୍କୋରରେ ସୀମିତ ରହିଯିବ । ହେଲେ ଭାନୁକା ରାଜପକ୍ଷେଙ୍କ ଲଢୁଆ ଅର୍ଦ୍ଧଶତକ ଓ ୱାନିନ୍ଦୁ ହସରଙ୍ଗାଙ୍କ ଉପାଦେୟ ପାଳି ବଳରେ ଶ୍ରୀଲଙ୍କା ବିପର୍ଯ୍ୟୟରୁ ମୁକୁଳିଥିଲା । ଏ ଦୁହିଁଙ୍କ ମଧ୍ୟରେ ଷଷ୍ଠ ୱିକେଟରେ ୫୮ ରନର ଭାଗିଦାରୀ ହୋଇଥିଲା । ହସରଙ୍ଗା ୨୧ଟି ବଲରେ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୬ ରନର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପରେ ରାଉଫଙ୍କ ଶିକାର ହୋଇଥିଲେ । ହେଲେ ରାଜପକ୍ଷେ ଆକ୍ରମଣାତ୍ମକ ପ୍ରଦର୍ଶନ ସହ ପାକିସ୍ତାନ ବୋଲିଂ ଆକ୍ରମଣର ସଫଳ ମୁକାବିଲା କରି ଶ୍ରୀଲଙ୍କାକୁ ଏକ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ । ସେ ନସୀମ ଶାହାଙ୍କ ଶେଷ ଓଭରର ଅନ୍ତିମ ଦୁଇଟି ବଲରେ ବିଶାଳ ଛକା ମାରି ଶ୍ରୀଲଙ୍କାକୁ ୧୭୦/୬ରେ ପହଞ୍ଚାଇଥିଲେ । ରାଜପକ୍ଷେ ୪୫ଟି ବଲରେ ୬ଟି ଚୌକା ଓ ୩ଟି ଛକା ସହ ୭୧ ରନ୍ କରି ଅପରାଜିତ ରହିଥିଲେ । ତାଙ୍କ ସହ ଚାମିକା କରୁଣାରତ୍ନେ ୧୪ ରନ୍ କରି ଅପରାଜିତ ଥିଲେ । ପାକିସ୍ତାନ ପକ୍ଷରୁ ରାଉଫ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶଦାବ, ଇଫତିକାର ଓ ନସୀମ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

Exit mobile version