Site icon ଆଜିକାଲି

ଯୌନ ନିର୍ଯାତନା ମାମଲାରେ ଶ୍ରୀଲଙ୍କା କ୍ରିକେଟର୍ ଦନୁଷ୍କା ଗୁଣତିଳକାଙ୍କୁ ଜାମିନ


ସିଡନୀ: ଅଷ୍ଟ୍ରେଲିଆରେ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଳକାଙ୍କୁ ଗୁରୁବାର ଜାମିନ ମିଳିଛି । କିନ୍ତୁ ମାମଲାର ଶୁଣାଣି ଶେଷ ନ ହେବା ପର୍ଯ୍ୟନ୍ତ ସେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ନଭେମ୍ବର ୭ରେ ଜାମିନ ନାମଞ୍ଜୁର ହେବା ପରଠାରୁ ‘ପାର୍କାଲିଆ କେରେକ୍ସନାଲ ସେଣ୍ଟର’ ରେ ଥିବା ନିଲମ୍ବିତ ଖେଳାଳି ଗୁଣତିଳକା ଭିଡିଓ ଲିଙ୍କ୍ ମାଧ୍ୟମରେ ସିଡନୀର ଡାଉନ ସେଣ୍ଟର କୋର୍ଟରେ ହାଜର ହୋଇଥିଲେ । ଯୌନ ନିର୍ଯାତନା ଅଭିଯୋଗରେ ଗୁଣତିଳକା (୩୧ ବର୍ଷ)ଙ୍କୁ ନଭେମ୍ବର ୬ ତାରିଖ ସକାଳେ ଗିରଫ କରାଯାଇଥିଲା।

ରିପୋର୍ଟ ଅନୁଯାୟୀ, “ଗୁରୁବାର ସିଡନୀର ଡାଉନ୍ ସେଣ୍ଟର୍ କୋର୍ଟର ମାଜିଷ୍ଟ୍ରେଟ୍ ଜାନେଟ୍ ୱାଲକ୍ୱିଷ୍ଟ ଗୁଣତିଳକାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ବିନା ସହମତିରେ ଯୌନ ସମ୍ପର୍କ ରଖିବା ନେଇ ଗୁଣତିଳକାଙ୍କ ନାଁରେ ଚାରୋଟି ମାମଲାର ରୁଜୁ ହୋଇଛି । ଜାମିନ ସର୍ତ୍ତାବଳୀ ମଧ୍ୟରେ ୧୫୦,୦୦୦ ଅଷ୍ଟ୍ରେଲୀୟ ଡଲାର (୧୦୦,୬୨୦ ଡଲାର) ଜରିମାନା, ପାସପୋର୍ଟ ସରେଣ୍ଡର କରିବା, ଦୁଇଥର ପୋଲିସକୁ ରିପୋର୍ଟ କରିବା, ରାତି ୯ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ‘କର୍ଫ୍ୟୁ’, ଟିଣ୍ଡର, ସୋସିଆଲ ମିଡିଆ ଏବଂ ଡେଟିଂ ଆପ୍ ବ୍ୟବହାରରୁ ନିବୃତ୍ତ ରହିବା ଏବଂ ଅଭିଯୋଗକାରିଣୀଙ୍କ ସହ ଯୋଗାଯୋଗ ନକରିବା ଆଦି ସର୍ତ୍ତ ରହିଛି ।

ଗିରଫ ହେବା ପରେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ଗୁଣତିଳକାଙ୍କୁ ସମସ୍ତ ପ୍ରକାର କ୍ରିକେଟ୍ ରୁ ନିଲମ୍ବିତ କରିଥିଲା। ପୋଲିସର ରିପୋର୍ଟରେ କୁହାଯାଇଥିଲା ଯେ ଧରାପଡ଼ିଯିବା ଭୟରେ ଗୁଣତିଳକା ବଳାତ୍କାର ସମୟରେ ପୀଡିତାଙ୍କୁ ବହୁଥର ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲେ । ଯଦି ଏହି ମାମଲାରେ ଗୁଣତିଳକା ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ତାଙ୍କୁ ସର୍ବାଧିକ ୧୪ ବର୍ଷ ଜେଲ୍ ଦଣ୍ଡ ହୋଇପାରେ |

ଅଷ୍ଟ୍ରେଲିଆରେ ସଦ୍ୟ ଶେଷ ଟି-୨୦ ବିଶ୍ୱକପ ପାଇଁ ବାମହାତୀ ବ୍ୟାଟ୍ସମ୍ୟାନ୍ ଗୁଣତିଳକା ଶ୍ରୀଲଙ୍କା ଦଳର ସଦସ୍ୟ ଥିଲେ । ସେ ପ୍ରଥମ ରାଉଣ୍ଡରେ ନାମିବ୍ୟା ବିପକ୍ଷ ମ୍ୟାଚ୍ ଖେଳିଥିଲେ । ସେହି ମ୍ୟାଚରେ ସେ ଖାତା ଖୋଲିନପାରି ଆଉଟ୍ ହୋଇଥିଲେ। ଏହା ପରେ ଆହତ କାରଣରୁ ତାଙ୍କୁ ଟୁର୍ନାମେଣ୍ଟରୁ ବାଦ୍ ଦିଆଯାଇଥିଲା। ଶ୍ରୀଲଙ୍କା ଦଳ ସୁପର ୧୨ ପର୍ଯ୍ୟାୟ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା କିନ୍ତୁ ଗ୍ରୁପ୍-୧ ରେ ଚତୁର୍ଥ ସ୍ଥାନ ରହି ଅଭିଯାନ ଶେଷ କରିଥିଲା ।

ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଗୁଣତିଳକା ଏବଂ ପୀଡିତା ମହିଳା ଏକ ଅନଲାଇନ୍ ଡେଟିଂ ଆପ୍ ମାଧ୍ୟମରେ ପରସ୍ପର ସହ ଯୋଗାଯୋଗ କରିଥିଲେ। ବିବାଦ ସହିତ ଗୁଣତିଳକାଙ୍କ ପୁରୁଣା ସମ୍ପର୍କ ରହିଛି | ଏହାପୂର୍ବରୁ ୨୦୨୧ ରେ ଇଂଲଣ୍ଡ ଗସ୍ତରେ ଦଳର ବାୟୋ ବବଲ୍ ନିୟମ ଉଲ୍ଲଂଘନ ନେଇ ତାଙ୍କ ସାଥୀ ଖେଳାଳି କୁସାଲ ମେଣ୍ଡିସ ଏବଂ ନିରୋଶନ ଡିକୱେଲାଙ୍କ ସହ ଗୁଣତିଳକାଙ୍କୁ ଶ୍ରୀଲଙ୍କା ବୋର୍ଡ ଏକ ବର୍ଷ ପାଇଁ ନିଲମ୍ବିତ କରିଥିଲା।

୨୦୧୮ରେ ମଧ୍ୟ ଦଳ ନିୟମ ଉଲ୍ଲଂଘନ କରିବାରୁ ବୋର୍ଡ ତାଙ୍କୁ ୬ ମାସ ପାଇଁ ବାସନ୍ଦ କରିଥିଲା। ସେହି ବର୍ଷ ତାଙ୍କର ଜଣେ ଅଜ୍ଞାତ ବନ୍ଧୁ ଜଣେ ନରୱେ ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହେବା ପରେ ଗୁଣତିଳକା ନିଲମ୍ବିତ ହୋଇଥିଲେ । ଅଭ୍ୟାସ ସେସନକୁ ନ ଆସିବା ଏବଂ କ୍ରିକେଟ୍ ଗିୟର ବିନା ଏକ ମ୍ୟାଚକୁ ଆସିବା ନେଇ ୨୦୧୭ରେ ଶ୍ରୀଲଙ୍କା ବୋର୍ଡ ଗୁଣତିଳକାଙ୍କୁ ୬ଟି ସୀମିତ ଓଭର ମ୍ୟାଚରୁ ନିଲମ୍ବିତ କରିଥିଲା । ଗୁଣତିଳକା ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ, ୪୭ଟି ଦିନିକିଆ ଓ ୪୬ ଟି-୨୦ ଖେଳିଛନ୍ତି।

Exit mobile version