Site icon ଆଜିକାଲି

ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକର ଡୋପ୍ ଟେଷ୍ଟରେ ଫେଲ୍, ୨୧ ମାସ ବାସନ୍ଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ଜିମ୍ନାଷ୍ଟ ଦୀପା କର୍ମାକରଙ୍କୁ ଲାଗିଛି ବଡ଼ ଝଟକା। ଡୋପିଂ ପାଇଁ ଦୋଷୀ ସାବ୍ୟସ୍ତ ହେବା ପରେ ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ତାଙ୍କୁ ୨୧ ମାସ ପାଇଁ ବାସନ୍ଦ କରିଛି। ଦୀପା ନିଷିଦ୍ଧ ଔଷଧ ହାଇଜେନାମାଇନ ସେବନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ୧୧ ଅକ୍ଟୋବର ୨୦୨୧ରେ ଦୀପାଙ୍କ ନମୁନା ସଂଗ୍ରହ କରାଯାଇଥିଲା । ତେଣୁ ତାଙ୍କ ବାସନ୍ଦ ଅବଧି ୧୦ ଜୁଲାଇ ୨୦୨୩ ପର୍ଯ୍ୟନ୍ତ ବଳବତ୍ତର ରହିବ |

ଦୀପା କର୍ମାକର ଭାରତର ପ୍ରଥମ ଜିମ୍ନାଷ୍ଟ ଭାବେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ୨୦୧୬ ରିଓ ଅଲିମ୍ପିକ୍ସ ଗେମ୍ସରେ ଦୀପା ଚମତ୍କାର ପ୍ରଦର୍ଶନ ସହ ଚତୁର୍ଥ ସ୍ଥାନ ଅଧିକାର କରିଥିଲେ | ଏହା ପରେ ସେ ରାତାରାତି ଜଣେ ଷ୍ଟାର ପାଲଟି ଯାଇଥିଲେ । ଏହାପୂର୍ବରୁ ଦୀପା ପ୍ରଥମ ମହିଳା ଜିମ୍ନାଷ୍ଟ ଭାବେ ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ବ୍ରୋଞ୍ଜ ପଦକ ଜିତିଥିଲେ।

ହାଇଜେମିନ ଏସ-୩ ବିଟା-୨ ଭଳି ନିଷିଦ୍ଧ ଡ୍ରଗ୍ ସେବନ ନେଇ ଦୀପା କର୍ମାକରଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଆନ୍ତର୍ଜାତୀୟ ଡୋପିଂ ଏଜେନ୍ସି (ଓ୍ବାଡା) ହାଇଜେମିନ ଏସ-୩ ବିଟା-୨କୁ ନିଷିଦ୍ଧ ଔଷଧ ଶ୍ରେଣୀରେ ସ୍ଥାନିତ କରିଛି। ଏହି ଔଷଧ ସେବନ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା କୌଣସି ଖେଳାଳିଙ୍କୁ ବାସନ୍ଦ କରାଯାଇପାରେ |

ଦୀପା କର୍ମାକରଙ୍କ ଡୋପ୍ ଟେଷ୍ଟ ପଜିଟିଭ୍ ହୋଇଥିବା ଇଣ୍ଟରନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଆଇଟିଏ) ସ୍ପଷ୍ଟ କରିଛି । ଆଇଟିଏ ଏକ ବିବୃତିରେ କହିଛି, “ଏହି ଟେଷ୍ଟ ଅନ୍ତର୍ଜାତୀୟ ଜିମ୍ନାଷ୍ଟ ମହାସଂଘ (ଏଫ୍ଆଇଜି) ତରଫରୁ ୧୧ ଅକ୍ଟୋବର ୨୦୨୧ରେ କରାଯାଇଥିଲା, ଯାହା ପଜିଟିଭ୍ ଆସିଥିଲା | ଏହି ତ୍ରିପୁରା ଜିମ୍ନାଷ୍ଟଙ୍କ ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିଲା ଏବଂ ୨୦୧୮ରେ ସେ ଅଧିକାଂଶ ସମୟ ପୁନଃ ଥଇଥାନରେ କଟାଇଥିଲେ | ଆଇଟିଏ ସୂଚନା ଅନୁଯାୟୀ, ଡୋପ୍ ଟେଷ୍ଟ ପରଠାରୁ ସେ କୌଣସି ପ୍ରତିଯୋଗିତାର ଅଂଶ ଗ୍ରହଣ କରିନାହାଁନ୍ତି ।

Exit mobile version