Site icon ଆଜିକାଲି

ଆନ୍ଦୋଳନରୁ ଓହରିବେ ଜୁନିୟର ଡାକ୍ତର, କାଲିଠୁ କାର୍ଯ୍ୟରେ ଯୋଗଦେବେ

ନୂଆଦିଲ୍ଲୀ : ଦୀର୍ଘ ୪୧ ଦିନର ଆନ୍ଦୋଳନରେ ଲାଗିବ ବିରାମ । ଆନ୍ଦୋଳନରୁ ଉଠିବେ ପଶ୍ଚିମବଙ୍ଗ ଜୁନିୟର ଡାକ୍ତର। ଆରଜି କର ମେଡିକାଲର ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଚାଲିଥିବା ଡାକ୍ତର ଆନ୍ଦୋଳନ ଆଶିଂକ ରୂପେ ସମାପ୍ତ ହେବ । ଶନିବାର ଠାରୁ ପଶ୍ଚିମବଙ୍ଗର ଜୁନିୟର ଡାକ୍ତର ଆନ୍ଦୋଳନରୁ ଓହରିବେ ଏବଂ କାର୍ଯ୍ୟରେ ଯୋଗଦେବେ ବୋଲି ସୂଚନା ମିଳିଛି। ଏହାସହିତ ଶନିବାରଠାରୁ ଜରୁରୀ ମେଡ଼ିକାଲ ସେବାରେ ଯୋଗଦେବେ, କିନ୍ତୁ ଓପିଡି ସେବା ଯୋଗାଇ ଦେବେ ନାହିଁ। ତେବେ ଧାରଣା ଓ ବିକ୍ଷୋଭ ବନ୍ଦ ହେଲେ ବି ଅଭୟା ନ୍ୟାୟ ପାଇବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ସଂଘ କହିଛି। ପଶ୍ଚିମବଙ୍ଗର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଭୟା କ୍ୟାମ୍ପ୍ ନାଁରେ ଏକ କ୍ୟାମ୍ପ କରି ଆନ୍ଦୋଳନକୁ ଆଗକୁ ନେବାକୁ ସଂଘ ନିଷ୍ପତ୍ତି ନେଇଛି।ଆରଜି କଲେଜ ଜୁନିଅର ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲାରେ ଗତ ଅଗଷ୍ଟ ୯ ତାରିଖରୁ ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଗାତର ଭାବେ କାମକୁ ଫେରିବାକୁ ଡାକ୍ତରଙ୍କୁ ଅପିଲ କରୁଥିଲେ। ଶେଷରେ ଉଭୟ ପକ୍ଷ ଆଲୋଚନାରେ ସରକାର ଡାକ୍ତରଙ୍କ ୫ଟି ଦାବି ମଧ୍ୟରୁ ୩ଟିକୁ ମାନି ନେବାକୁ ପ୍ରସ୍ତତ ଥିବା କହିଥିଲେ। ସେଥି ମଧ୍ୟରୁ ପୁଲିସ୍‌ କମିଶନ, ସ୍ୱାସ୍ଥ୍ୟ ଶିକ୍ଷା ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକଙ୍କୁ ହଟାଇ ଦିଆଯାଇଛି। ପୁଲିସ୍‌ କମିଶନର ବିନିତ ଗୋୟଲଙ୍କୁ ହଟାଯାଇ ତାଙ୍କ ସ୍ଥାନରେ ନୂଆ ଆଇପିଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି ।

ଡାକ୍ତର ସଙ୍ଗଠନ ମେମ୍ବର ଡା. ଅସଫାକ କହିବାନୁଯାୟୀ, ଆଜି ଆମେ ସିବିଆଇ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି କରିବୁ । ଏହି ମାମଲାର ତ୍ୱରିତ ତଦନ୍ତ ନିମନ୍ତେ ଦାବି ଜଣାଇବୁ। ଏହାପରେ ଶନିବାରଠୁ ସବୁ ଅତ୍ୟାବଶ୍ୟକ ସେବା ଆରମ୍ଭ କରିବୁ। ଏଥିସହ ପଶ୍ଚିମବଙ୍ଗ ସରକାର ଦ୍ୱାରା ଦିଆଯାଇଥିବା ସବୁ ପ୍ରତିଶ୍ରୁତି ପୂରଣ ନିମନ୍ତେ ସପ୍ତାହେ ପର୍ଯ୍ୟନ୍ତ ଅପେକ୍ଷା କରିବୁ । ଏହା ମଧ୍ୟରେ ସବୁ ପ୍ରତିଶ୍ରୁତି ପୂରଣ ନ ହେଲେ ଆମେ ପୁଣି ଥରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବୁ ।

Exit mobile version