Site icon ଆଜିକାଲି

ଜମ୍ମୁ-କଶ୍ମୀର ପୋଲିସକୁ ସଫଳତା; ସୋପୋରରୁ ୩ ଏଲ୍‌ଇଟି ଆତଙ୍କୀ ଗିରଫ

ଶ୍ରୀନଗର : ଜମ୍ମୁ-କଶ୍ମୀର ପୋଲିସକୁ ସଫଳତା । ଲସ୍କର-ଏ-ତୋଏବା(ଏଲ୍‌ଇଟି)ର ୩ ଆତଙ୍କୀଙ୍କୁ ଗିରଫ କଲା ପୋଲିସ । ସୋପୋର ପୋଲିସର ମିଳିତ ଅପରେସନରେ ଏହି ସଫଳତା ପାଇଛି ପୋଲିସ । ଉତ୍ତର କାଶ୍ମୀରର ସୋପୋରରୁ ଆତଙ୍କୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ହେଉଛନ୍ତି ଶାରିକ ଆଶ୍ରାଫ, ସାକଲେନ୍ ମୁଶ୍ଟକ୍ ଏବଂ ତଓ୍ବାଫିକ୍ ହାସନ ଶେଖ ବୋଲି ଜଣାପଡିଛି । ଏନେଇ ଜମ୍ମୁ କଶ୍ମୀର ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ଗୋରିପୁରାରୁ ବୋମାଇ ଅଭିମୁଖେ ଆସୁଥିବା ବେଳେ ଏହି ତିନି ଜଣଙ୍କ ଗତିବିଧିକୁ ସନ୍ଦେହ କରି ଯାଞ୍ଚ ପାଇଁ ପୋଲିସ ଅଟକାଇବାକୁ ଚେଷ୍ଟା କରିଥିଲା । କିନ୍ତୁ ସେମାନେ ଅଟକିବା ପରିବର୍ତ୍ତେ ଘଟଣାସ୍ଥଳରୁ ଖସିପଳାଇବା ପାଇଁ ଉଦ୍ୟମ କରିଥିଲେ । ଏହାପରେ ସୁରକ୍ଷା କର୍ମୀଙ୍କ ଦ୍ବାରା ତାଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ନିକଟରୁ ତିନୋଟି ଗ୍ରେନେଡ, ନଅଟି ପୋଷ୍ଟର ଏବଂ ୧୨ଟି ପାକିସ୍ତାନୀ ପତାକା ଜବତ କରାଯାଇଥିଲା ।

ଶୁକ୍ରବାର ସନ୍ଧ୍ୟାରେ ବୋମାଇ ପୋଲିସ ଷ୍ଟେସନ ଅଧୀନରେ ଥିବା ବୋମାଇ ଛକରେ ସୋପୋର ପୋଲିସ, ୨୨ଟି ରାଷ୍ଟ୍ରିୟ ରାଇଫଲ୍ସ (ଆର୍‌ଆର୍‌) ଏବଂ ୧୭୯ ବିଏନ୍ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ (ସିଆରପିଏଫ)ର ମିଳିତ ଅପରେସନରେ ଆତଙ୍କୀଙ୍କୁ ଗିରଫ କରାଯାଇଥିଲା । ତେବେ ଗିରଫ ଆତଙ୍କବାଦୀ ଲସ୍କର-ଏ-ତୋଏବା (ଏଲଇଟି)ର ହୋଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ସାଧାରଣ ନାଗରିକଙ୍କୁ ଆକ୍ରମଣ ପାଇଁ ଏମାନେ ସୁଯୋଗ ଖୋଜୁଥିବା ପୋଲିସ କହିଛି । ଏନେଇ ବୋମାଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରି ଆତଙ୍କୀଙ୍କୁ ପଚରାଉଚୁରା କରୁଥିବା ବେଳେ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version