Site icon ଆଜିକାଲି

ଚନ୍ଦ୍ରଯାନ ସଫଳତା ପରେ ସୂର୍ଯ୍ୟ ମିଶନ୍ ‘ଆଦିତ୍ୟ-ଏଲ୍୧’ ପ୍ରସ୍ତୁତ; ସେପ୍ଟେମ୍ବର ୨ରେ ଲଞ୍ଚ ହେବା ସମ୍ଭାବନା

ବେଙ୍ଗାଲୁରୁ: ଚନ୍ଦ୍ର ମିଶନର ସଫଳତା ପରେ ଏବେ ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ)ର ନଜର ସୂର୍ଯ୍ୟ ଉପରେ । ସୂର୍ଯ୍ୟର ରହସ୍ୟ ଅଧ୍ୟୟନ ପାଇଁ ଇସ୍ରୋ ସମ୍ଭବତଃ ଆସନ୍ତା ସେପ୍ଟେମ୍ବର ୨ରେ ଆଦିତ୍ୟ ମିଶନ ଏଲ୍-୧ ଲଞ୍ଚ ପାଇଁ ପ୍ରସ୍ତୁତି କରୁଛି । ‘ଆଦିତ୍ୟ ଏଲ୍-୧’ ମହାକାଶଯାନକୁ ସୌର କୋରୋନା (ସୂର୍ଯ୍ୟର ବାହ୍ୟ ସ୍ତର) ଏବଂ ଏଲ୍-୧ (ପୃଥିବୀ-ସୂର୍ଯ୍ୟ ଲାଙ୍ଗ୍ରେଜ୍ ପଏଣ୍ଟ)ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଏଲ୍-୧ ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ । ଲାଗ୍ରେଞ୍ଜ ପଏଣ୍ଟ-୧ ବା ଏଲ୍-୧ ହେଉଛି ଏପରି ଏକ ବିନ୍ଦୁ ଯେଉଁଠାରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ ।

ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହା ପ୍ରଥମ ଉତ୍ସର୍ଗୀକୃତ ଭାରତୀୟ ମହାକାଶ ଅଭିଯାନ ହେବ । ଆଦିତ୍ୟ-ଏଲ୍୧ ମିଶନର ଲକ୍ଷ୍ୟ ହେଉଛି ଏଲ୍-୧ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂ ସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତର (କୋରୋନା)କୁ ବିଭିନ୍ନ ଓ୍ବେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ ।

ଇସ୍ରୋର ଜଣେ ଅଧିକାରୀ କହିଛନ୍ତି, ଆଦିତ୍ୟ-ଏଲ୍୧ ଜାତୀୟ ଅନୁଷ୍ଠାନ ସହ ସହଭାଗିତାରେ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ପ୍ରୟାସ । ଆଦିତ୍ୟ ମିଶନ ମହାକାଶଯାନ ସହ ଯେଉଁ ପେଲୋଡ୍ ଯିବ ତାହା ସବୁ ଭାରତୀୟ କମ୍ପାନୀଙ୍କ ଦ୍ବାରା ବିକଶିତ ।

ଏହି ମହାକାଶଯାନ ବାଙ୍ଗାଲୋର ସ୍ଥିତ ୟୁଆର ରାଓ ସାଟେଲାଇଟ୍ ସେଣ୍ଟରରେ ପ୍ରସ୍ତୁତ କରାଯାଇଛି । ଦୁଇ ସପ୍ତାହ ପୂର୍ବରୁ ଏହା ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାସ୍ଥିତ ଇସ୍ରୋର ସ୍ପେସପୋର୍ଟରେ ପହଞ୍ଚିଛି ।ଜଣେ ଇସ୍ରୋ ଅଧିକାରୀ କହିଛନ୍ତି, ଆଦିତ୍ୟ ମିଶନର ଲଞ୍ଚ ସେପ୍ଟେମ୍ବର ୨ରେ ହେବା ସମ୍ଭାବନା ରହିଛି। ମହାକାଶଯାନକୁ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଏଲ୍୧ ଚାରିପାଖରେ ଏକ ବାହ୍ୟ କକ୍ଷରେ ରଖିବାକୁ ଯୋଜନା କରାଯାଇଛି ।

Exit mobile version