Site icon ଆଜିକାଲି

ଆଜିଠୁ ଓଡ଼ିଶା ଏଫ୍‌ସିର ସୁପର କପ୍‌ ଅଭିଯାନ

ଭୁବନେଶ୍ବର : ପ୍ରଥମ ଥର ଲାଗି ସୁପର କପ୍‌ରେ ଭାଗ ନେଉଥିବା ଭୁବନେଶ୍ବର ଭିତ୍ତିକ ଫୁଟ୍‌ବଲ୍ ଦଳ ଓଡ଼ିଶା ଏଫ୍‌ସି ରବିବାର ଇଷ୍ଟ ବେଙ୍ଗଲ ଏଫ୍‌ସି ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ଗ୍ରୁପ୍‌-ବି’ରେ ଇଷ୍ଟ ବେଙ୍ଗଲ ଏଫ୍‌ସି, ହାଇଦ୍ରାବାଦ ଏଫ୍‌ସି ଓ ଐଜଲ ଏଫ୍‌ସି ସହ ରହିଛି। କେରଳର ମଞ୍ଜେରିସ୍ଥିତ ପାୟାନଦ ଷ୍ଟଡିୟମରେ ଇଷ୍ଟବେଙ୍ଗଲ ବିପକ୍ଷ ପ୍ରଥମ ମ୍ୟଚ୍‌ ଜିତି ଅଭିଯାନ ଆରମ୍ଭ କରିବାର ଲକ୍ଷ୍ୟ ରଖିଛି ଓଡ଼ିଶା ଏଫ୍‌ସି।

ଗତ ଆଇଏସ୍‌ଏଲ୍‌ରେ ଉଭୟ ଦଳ ଦୁଇ ଥର ମୁହାଁମୁହିଁ ହୋଇଥିଲା ବେଳେ ଓଡ଼ିଶା ଦୁଇ ଥର ଯାକ ଜିତିଥିଲା। ଓଡ଼ିଶା ଏଫ୍‌ସି ମଧ୍ୟ ପ୍ରଥମ ଥର ଲାଗି ଚଳିତ ବର୍ଷ ଆଇଏସ୍‌ଏଲ୍‌ର ‌ପ୍ଲେ ଅଫ୍‌ରେ ଖେଳିଥିଲା। ଆଇଏସ୍‌ଏଲ୍‌ ଗୋଲ୍‌ଡେନ୍‌ ବୁଟ୍‌ ବିଜେତା ଡିଏଗୋ ମୌରିସିଓ ଭଲ ଫର୍ମରେ ରହିଛନ୍ତି। ଇଷ୍ଟ୍‌ ବେଙ୍ଗଲ ବିପକ୍ଷ ଶେ‌ଷ ମ୍ୟାଚ୍‌ରେ ସେ ୨ଟି ଗୋଲ୍‌ ଦେଇ ଦଳ ବିଜୟ ପ୍ରମୁଖ ଭୂମିକା ତୁଲାଇଥିଲେ। ରବିବାର ତାଙ୍କ କମାଲ୍‌ରେ ଓଡ଼ିଶା ବିଜୟ ଆଶାରେ ରହିଛି। ‘‘ପ୍ରଥମ ଥର ସୁପର ‌କପ୍‌ ଖେଳିବାକୁ ଯାଉଥିବାରୁ ଉତ୍ସାହିତ ଅଛୁ। ଆମର ଶ୍ରେଷ୍ଠତ୍ବ ଦେଖାଇବାକୁ ଏହା ଏକ ଚମତ୍କାର ସୁଯୋଗ। ପ୍ରତିଯୋଗିତା ପୂର୍ବରୁ ଆମେ କଠିନ ଅଭ୍ୟାସ କରିଛୁ ଏବଂ ବିଶ୍ବାସ ରହିଛି ଆସନ୍ତାକାଲି ଭଲ କରିବୁ’’ ବୋଲି ମ୍ୟାଚ୍‌ ପୂର୍ବ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ପ୍ରଶିକ୍ଷକ କ୍ଲିଫୋର୍ଡ ମିରାଣ୍ଡା କହିଛନ୍ତି।

Exit mobile version