Site icon ଆଜିକାଲି

ହରିୟାଣା ହିଂସା: ଭିଏଚପି ରାଲି ବେଳେ ଘୃଣା ଭାଷଣ ଓ ହିଂସା ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱ ହିନ୍ଦୁ ପରିଷଦର ରାଲି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ହରିୟାଣାର ନୁହରେ ଘଟିଥିବା ହିଂସା ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ଆଜି ଦିଲ୍ଲୀର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛି। ଏହି ରାଲି ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ୍.ଭି.ଏନ୍ ଭଟ୍ଟୀଙ୍କ ଏକ ଖଣ୍ଡପୀଠ ଏହି ପିଟିସନର ଶୁଣାଣି କରିଛନ୍ତି। ଏହି ମାମଲାରେ ଉତ୍ତର ପ୍ରଦେଶ, ହରିୟାଣା ଏବଂ ଦିଲ୍ଲୀ ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ ଜାରି କରିଛନ୍ତି। ପୁଣି ଅଗଷ୍ଟ ୪ରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ବରିଷ୍ଠ ଓକିଲ ସିୟୁ ସିଂ ଏହି ପିଟିସନ ଦାଖଲ କରିଥିଲେ। ସେ ତାଙ୍କ ଆବେଦନରେ କହିଥିଲେ ଯେ ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଦିଲ୍ଲୀର ୨୩ଟି ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ରାଲି ବେଳେ ହିଂସା ଆଶଙ୍କା କରି ଏହା ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ । ଏହି ଆବେଦନ ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ଭିଏଚପିର ରାଲି ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ । କିନ୍ତୁ ରାଲି ବେଳେ କୌଣସି ହିଂସା କିମ୍ବା ଘୃଣା ଭାଷଣ ରୋକିବାକୁ ନିଶ୍ଚିତ କରିବା ପାଇଁ କୋର୍ଟ କହିଛନ୍ତି । ସିସିଟିଭି କ୍ୟାମେରା ସହିତ ରାଲିର ମନିଟରିଂ ଏବଂ ଭିଡିଓଗ୍ରାଫି ପାଇଁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବଶ୍ୟକ ସ୍ଥଳେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।

ଏହି ନିର୍ଦ୍ଦେଶ ସମସ୍ତ ରାଜ୍ୟ ପାଇଁ ଲାଗୁ ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ମଙ୍ଗଳବାର ହରିୟାଣାର ନୁହରେ ଏକ ଧାର୍ମିକ ଶୋଭାଯାତ୍ରା ବେଳେ ଦୁଇ ସମ୍ପ୍ରଦାୟ ମଧ୍ୟରେ ହିଂସା ଘଟିଥିଲା । ଏହି ହିଂସାରେ ୬ ଜଣ ପ୍ରାଣ ହରାଇଥିବା ବେଳେ ବହୁ ସଂଖ୍ୟକ ଲୋକ ଆହତ ହୋଇଥିଲେ । ନୁହ, ମେୱାଟ, ଗୁରୁଗ୍ରାମ ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ଧାର୍ମିକ ଶୋଭାଯାତ୍ରା ଉପରେ ଆକ୍ରମଣକୁ ବିରୋଧ କରି ବିଶ୍ୱ ହିନ୍ଦୁ ପରିଷଦ ଆଜି ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଘୋଷଣା କରିଛି। ହିଂସାରେ ପ୍ରାଣ ହରାଇଥିବା ପରିବାରକୁ ୧ କୋଟି ଟଙ୍କା ଏବଂ ଆହତମାନଙ୍କୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଭିଏଚପି ଦାବି କରିଛି। ଭିଏଚପି ଦାବି କରିଛି ଯାହାର ଗାଡି ଏବଂ ବସ୍ ନଷ୍ଟ ହୋଇଛି ସେମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯାଉ।

Exit mobile version