Site icon ଆଜିକାଲି

ପୱନ ଖେରାଙ୍କୁ ଅନ୍ତରୀଣ ଜାମିନରେ ଛାଡ଼ିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ ହୋଇଥିବା କଂଗ୍ରେସ ନେତା ପୱନ ଖେରାଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ପ୍ରଦାନ କରିଛନ୍ତି । ଖେରାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ତାଙ୍କ ବିରୋଧରେ ବିଭିନ୍ନ ସ୍ଥାନରେ ରୁଜୁ ମାମଲାର ଏକାଠି ଶୁଣାଣି କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଆସନ୍ତା ମଙ୍ଗଳବାର ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆସାମ ପୋଲିସ ଗୁରୁବାର ଅପରାହ୍ନ ପ୍ରାୟ ୨ଟାରେ ପୱନ ଖେରାଙ୍କୁ ଗିରଫ କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ବାରଣସୀ, ଲକ୍ଷ୍ନୌ ଏବଂ ଆସାମରେ ପୱନ ଖେରାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ତିନୋଟି ମାମଲା ଏକାଠି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭି ପୱନ ଖେରାଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ହାଜର ହୋଇ କହିଥିଲେ ଯେ ସେ ଅଜାଣତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମର ଭୁଲ୍ ଉଚ୍ଚାରଣ କରିଦେଇଥିଲେ । ଏଥିପାଇଁ ସେ କ୍ଷମା ମାଗିଛନ୍ତି । ସେ ତଦନ୍ତରେ ସହଯୋଗ କରିବେ । ତେଣୁ ତାଙ୍କୁ ଜାମିନ ଦିଆଯାଉ।

ପୱନ ଖେରା କଂଗ୍ରେସର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗ ଦେବା ପାଇଁ ଛତିଶଗଡ଼ ଯାଉଥିଲେ । ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ଅଟକାଇ ଆସାମ ପୋଲିସ ଗିରଫ କରିଥିଲା । ଖେରାଙ୍କୁ ଗିରଫ ପରେ କଂଗ୍ରେସ ନେତାମାନେ ବିମାନବନ୍ଦର ଏୟାରଷ୍ଟ୍ରିପ୍ ଉପରେ ହିଁ ଧାରଣାରେ ବସିଥିଲେ।

ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ପଓ୍ବନ ଖେରା ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମକୁ ‘ନରେନ୍ଦ୍ର ଦାମୋଦର ଦାସ ମୋଦୀ’ ପରିବର୍ତ୍ତେ ‘ନରେନ୍ଦ୍ର ଗୌତମଦାସ ମୋଦୀ’ ବୋଲି କହିଦେଇଥିଲେ । ପରେ ଭୁଲ୍ ହେଇଗଲା ବୋଲି କହି ପ୍ରଧାନମନ୍ତ୍ରୀଙ୍କ ନାଁ ସଠିକ୍ ଉଚ୍ଚାରଣ କରିଥିଲେ । ତେବେ ଗୌତମ ଆଦାନୀ ବିବାଦ ଦୃଷ୍ଟିରୁ ଖେରା ଜାଣିଶୁଣି ପ୍ରଧାନମନ୍ତ୍ରୀଙ୍କ ନାମ ‘ନରେନ୍ଦ୍ର ଗୌତମଦାସ ମୋଦୀ’ ବୋଲି କହିଥିବା ଚର୍ଚ୍ଚା ହୋଇଥିଲା ।

ସୂଚନା ଯେ, ଖେରା ପ୍ରଧାନମନ୍ତ୍ରୀ ଓ ତାଙ୍କ ବାପାଙ୍କୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରି କ୍ଷମା ମାଗିବାକୁ ଦାବି କରିଥିଲା ବିଜେପି।

Exit mobile version