Site icon ଆଜିକାଲି

ସୁପ୍ରିମକୋର୍ଟକୁ ମିଳିଲା ଦୁଇ ନୂଆ ବିଚାରପତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଏବଂ ବରିଷ୍ଠ ଓକିଲ କଳ୍ପତି ଭେଙ୍କଟାରମଣ ବିଶ୍ୱନାଥନ ଶୁକ୍ରବାର ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କରିଛନ୍ତି। ଭାରତର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିଓ୍ବାଇ ଚନ୍ଦ୍ରଚୂଡ଼ ଦୁଇ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ଜଷ୍ଟିସ ଦୀନେଶ ମାହେଶ୍ୱରୀ ଏବଂ ଏମ.ଆର.ଶାହଙ୍କ ଅବସର ପରେ ଉଚ୍ଚତମ ନ୍ୟାୟାଳୟରେ ବିଚାରପତିଙ୍କ ସଂଖ୍ୟା ସ୍ବୀକୃତ କ୍ଷମତା ୩୪ରୁ ୩୨କୁ ହ୍ରାସ ପାଇଥିଲା । ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଗତକାଲି ଟ୍ବିଟ୍ କରି ସୁପ୍ରିମକୋର୍ଟର ଦୁଇ ନୂଆ ବିଚାରପତିଙ୍କ ନିଯୁକ୍ତି ସମ୍ପର୍କରେ ସୂଚନା ଦେଇଥିଲେ ।

କଳ୍ପତି ଭେଙ୍କଟାରାମନ୍ ବିଶ୍ୱନାଥନ୍ ମଧ୍ୟ ଜଣେ ପୂର୍ବତନ ଅତିରିକ୍ତ ସଲିସିଟର ଜେନେରାଲ୍ | ସେ ବାରରୁ ସିଧାସଳଖ ନିଯୁକ୍ତ ହେବାରେ ସୁପ୍ରିମକୋର୍ଟର ଦଶମ ବିଚାରପତି । ଜଷ୍ଟିସ୍ ଜେ.ବି ପାରଦୀୱାଲାଙ୍କ ଅବସର ପରେ କେ.ଭି ବିଶ୍ୱନାଥନ୍ ଅଗଷ୍ଟ ୧୧, ୨୦୩୦ରେ ଭାରତର ପ୍ରଧାନ ବିଚାରପତି ହୋଇପାରନ୍ତି। ଯଦି ଏହା ହୁଏ, ତେବେ ସେ ଏସଏମ ସିକ୍ରି, ୟୁୟୁ ଲଲିତ ଏବଂ ପିଏସ ନରସିଂହାଙ୍କ ପରେ ବାରରୁ ସିଧାସଳଖ ପଦୋନ୍ନତି ପାଇବାରେ ଭାରତର ଚତୁର୍ଥ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟ କଲେଜିୟମ ଦୁଇ ଦିନ ପୂର୍ବରୁ ଏହି ଦୁଇ ଜଜଙ୍କ ନିଯୁକ୍ତି ସୁପାରିସ୍ କେନ୍ଦ୍ରକୁ ପଠାଇଥିଲେ । ଯାହାକୁ କେନ୍ଦ୍ର ସରକାର ୪୮ ଘଣ୍ଟା ମଧ୍ୟରେ ଅନୁମୋଦନ କରିଥିଲେ ।

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ ଏବଂ ଛତିଶଗଡ ହାଇକୋର୍ଟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବେ ମଧ୍ୟ ଦାୟିତ୍ବ ତୁଲାଉଥିଲେ । ସେ ଛତିଶଗଡର ପ୍ରଥମ ଜଜ୍ ଭାବେ ସୁପ୍ରିମକୋର୍ଟ ବିଚାରପତି ହୋଇଛନ୍ତି। ଜଷ୍ଟିସ କେଏମ ଜୋସେଫ, ଜଷ୍ଟିସ ଅଜୟ ରାସ୍ତୋଗୀ ଏବଂ ଜଷ୍ଟିସ ଭି ରାମାସୁବ୍ରମଣ୍ୟନ ଗ୍ରୀଷ୍ମ ଛୁଟି ସମୟରେ ଅବସର ନେଉଛନ୍ତି । ସୁପ୍ରିମକୋର୍ଟ ବାର ଆସୋସିଏସନ ଆଜି ଏହି ୩ ବିଚାରପତିଙ୍କୁ ବିଦାୟ ସମ୍ବର୍ଦ୍ଧନା ଦେବେ।

Exit mobile version