Site icon ଆଜିକାଲି

ସୁପ୍ରିମକୋର୍ଟରୁ ତିସ୍ତା ସିତଲଓ୍ବାଡଙ୍କୁ ମିଳିଲା ନିୟମିତ ଜାମିନ, ଗୁଜରାଟ ଦଙ୍ଗା ମାମଲାର ସାକ୍ଷୀଙ୍କଠାରୁ ଦୂରରେ ରହିବାକୁ ପରାମର୍ଶ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ମାମଲାରେ ସୁପ୍ରିମକୋର୍ଟ ସାମାଜିକ କର୍ମୀ ତିସ୍ତା ସିତଲଓ୍ବାଡଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ତିସ୍ତା ସିତଲଓ୍ବାଡଙ୍କୁ ବିରୋଧରେ ମାମଲାରେ ଚାର୍ଜସିଟ୍ ଦାଖଲ ହୋଇସାରିଛି । ତେଣୁ ତାଙ୍କୁ ହାଜତକୁ ନେଇ ଜେରା କରିବାର ଆବଶ୍ୟକତା ନାହିଁ।

ଜଷ୍ଟିସ ବିଆର୍ ଗଭାଇ, ଜଷ୍ଟିସ୍ ବିଏସ୍ ବୋପାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ସିତଲଓ୍ବାଡଙ୍କୁ ନିୟମିତ ଜାମିନ ଦେବା ସହ ଗୁଜରାଟ ଦଙ୍ଗା ସାକ୍ଷୀମାନଙ୍କଠାରୁ ଦୂରରେ ରହିବାକୁ କହିଛନ୍ତି । ଖଣ୍ଡପୀଠ ମଧ୍ୟ ତିସ୍ତାଙ୍କୁ ଆତ୍ମସମର୍ପଣ କରିବାକୁ କହି ଜୁଲାଇ ୧ରେ ଗୁଜରାଟ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ।

ଜୁଲାଇ ୧ରେ ସୁପ୍ରିମକୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଗୁଜରାଟ ସରକାରଙ୍କ କିଛି ବଡ଼ ବ୍ୟକ୍ତିଙ୍କୁ ଫସାଇବା ପାଇଁ ତିସ୍ତା ସିତଲଓ୍ବାଡ ଗୁଜରାଟ ଦଙ୍ଗା ମାମଲାର ସାକ୍ଷୀଙ୍କୁ ପ୍ରବର୍ତ୍ତାଇ କାଗଜପତ୍ର ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା । ତେବେ ସୁପ୍ରିମକୋର୍ଟଙ୍କ ଏକ ରାୟ ପରେ ହିଁ ତିସ୍ତାଙ୍କୁ ପ୍ରଥମେ ଗିରଫ କରାଯାଇଥିଲା।

ଗତବର୍ଷ ଜୁନରେ ଗୁଜରାଟ ଦଙ୍ଗା ନେଇ ତିସ୍ତା ସିତଲଓ୍ବାଡଙ୍କ ଏକ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରି ତାଙ୍କୁ ଭର୍ତ୍ସନା କରିଥିଲେ । ସୁପ୍ରିମକୋର୍ଟ କହିଥିଲେ ଯେ ଦଙ୍ଗା ପରେ ଗୁଜରାଟର ଛବି କଳଙ୍କିତ କରିବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ଜେଲ୍ ପଠାଯିବା ଉଚିତ। ସୁପ୍ରିମକୋର୍ଟର ଏହି ଟିପ୍ପଣୀ ପରେ ଗୁଜରାଟର ଆଣ୍ଟି ଟେରର୍ ସ୍କ୍ବାଡ୍ (ଏଟିଏସ୍) ତିସ୍ତା ସିତଲଓ୍ବାଡଙ୍କୁ ଗିରଫ କରିଥିଲା। ସେପ୍ଟେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ତିସ୍ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ଗୁଜରାଟ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ। ଏହା ପରେ ତିସ୍ତା ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ।

ବରିଷ୍ଠ ଓକିଲ କପିଳ ସିବଲ ତିସ୍ତାଙ୍କ ପାଇଁ ମାମଲା ପରିଚାଳନା କରିଥିଲେ। ସିବଲ କହିଥିଲେ ଯେ ତାଙ୍କ ମହକିଲଙ୍କ ଉପରେ ଗୁଜରାଟ ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନୁହେଁ। ସିବଲ କହିଥିଲେ, ସୁପ୍ରିମକୋର୍ଟଙ୍କ ରାୟ ତତକ୍ଷଣାତ୍ ତିସ୍ତାଙ୍କୁ ଗିରଫ କରାଯାଇଥିଲା। ତିସ୍ତାଙ୍କୁ ଗିରଫ କରିବାକୁ ଗୁଜରାଟ ସରକାର କାହିଁକି ଏତେ ତତ୍ପରତା ଦେଖାଇଥିଲେ ?

Exit mobile version